ମାଲକାନଗିରି, ୨୧ ଅକ୍ଟୋବର (ହି.ସ.)- କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରୀ ୩ ପଞ୍ଚାୟତର ବୀରକିଶୋରପୁର ଗ୍ରାମରେ ପରିବେଶବିତ୍ ସୁଶ୍ରୀ ଦୀପା ରାଣି ନାୟକ ଏବଂ ବୀରକିଶୋରପୁର ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ସଂଘର ସଭାପତି ଜଗନ୍ନାଥ ହନ୍ତାଳ ଓ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଆଜି ୧୦୦ଟି ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବି.ଇ.ଓ) ସୁଶ୍ରୀ ଗାୟତ୍ରୀ ଦେବି, କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ରଣା, ଚିତ୍ରକୋଣ୍ଡା ବ୍ଳକ ସ୍ୱାଭିମାନ ଅଞ୍ଚଳ ଦାର୍ଲାବେଡା ମହାବିଦ୍ୟାଳୟର ଅଧ୍ୟାପକ ଦିଲୀପ କୁମାର ଓଝା ଓ ସୋମନାଥପୁର ପଞ୍ଚାୟତର ସିଆରସିସି ଜଚୀନ୍ଦ୍ର କୁମାର ସ୍ବାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଏହି ଦୀପାବଳିରେ ବାଣ ଫୁଟେଇ ପରିବେଶକୁ ପ୍ରଦୂଷଣ କରିବା ବଦଳରେ ବୃକ୍ଷ ରୋପଣ କରି ପରିବେଶ ପ୍ରଦୂଷଣ ମୁକ୍ତ କରିବା ଏବଂ ସବୁଜ ଦୀପାବଳି ପାଳନ କରିବା । ଗ୍ରାମବାସୀଙ୍କ ମନରେ ପରିବେଶ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା l ଏହି କାର୍ଯ୍ୟକ୍ରମରେ ବୀରକିଶୋରପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ସିଆରପି ଦିଦି ରେବତୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଗାମୀ ଦିନରେ ସେଇ ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ସମସ୍ତ ସଦସ୍ୟ ଶପଥ ନେଇଛନ୍ତି l ସ୍ୱେଚ୍ଛାସେବି ଭାବେ ଶୁଭଙ୍କର ଭୌମିକ, ସୋମନାଥ ହନ୍ତାଳ, ସୁନେଲ ମୁଦୁଲି, ରାଜୁ ଶିସା, ପୂର୍ଣ୍ଣ ମୁଦୁଲି, ଭୀମ ହନ୍ତାଳ ଆଦି ଵୃକ୍ଷରୋପଣରେ ସହଯୋଗ କରିଥିଲେ l
ଆଗାମୀ ଦିନରେ ମାଲକାନଗିରି ଜ଼ିଲ୍ଲାର ସବୁ ଗ୍ରାମରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ମନରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପରିବେଶବିତ୍ ଦୀପା ରାଣି ନାୟକ ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ