ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧୀନ ଟୁବି ନୂଆଗାଁ ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ ଅଟୋ ସହ ବାଇକର ଧକ୍କା ହେବା ଫଳରେ ୨ଜଣ ବିଦ୍ୟୁତ କର୍ମଚାରୀଙ୍କ ସହ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପରେ ବିଦ୍ୟତ କର୍ମଚାରୀ ମନୋରଞ୍ଜନ ମୁଦୁଲିଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ଘଟଣାରୁ ଜଣାଯାଇଛି ଯେ ,ବିଦ୍ୟୁତ କର୍ମଚାରୀ ମନୋରଞ୍ଜନ ମୁଦୁଲି(୪୦)ଓ ଅନିରୁଦ୍ଧ ଗୋଛାୟତ(୫୮) ଏକ ବାଇକ ଯୋଗେ ଟୁବି ନୂଆଗାଁରୁ ସାହାପୁର ଛକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ତାଙ୍କର ଧକ୍କା ହୋଇଥିଲା । ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ବିଦ୍ୟୁତ କର୍ମଚାରୀ ଶ୍ରୀ ମୁଦୁଲି ଓ ଶ୍ରୀ ଗୋଛାୟତଙ୍କ ସମେତ ଅଟୋରେ ଥିବା କଣ୍ଡରାଗଡ଼ିଆ ଗ୍ରାମର ଘନଶ୍ୟାମ ବେହେରା(୭୦), ନୂଆଗାଁ ଗ୍ରାମର ସୁମିତ୍ରା ମଲ୍ଲିକ(୨୪) ଓ କବିତା ମଲ୍ଲିକ (୨୭) ଆହତ ହୋଇଥିଲେ । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଗୁରୁତର ଥିବା ମନୋରଞ୍ଜନ, ଘନଶ୍ୟାମ ଓ ସୁମିତ୍ରାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ