ପୁରୀ, ୨୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲାର ଭାରତୀୟ ବିଜେପିର ବରିଷ୍ଠ ନେତା, ପୂର୍ବତନ ଜାତୀୟ ପରିଷଦ ସଭ୍ୟ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ପ୍ରାର୍ଥୀ, ଭାରତ ସରକାରଙ୍କ ନାରିକେଳ ବିକାଶ ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ, ଆଇଏମଟି ଫାର୍ମାସୀ ଓ ଆଲାଏଡ ସାଇନ୍ସ କଲେଜ ପୁରୀର ପ୍ରତିଷ୍ଠାତା ଓ ଅନେକ ପଦ ପଦବୀରେ ଅଧିଷ୍ଠିତ ଡ଼ଃ. ବିଶ୍ୱନାଥ ରଥଙ୍କ ପରଲୋକ ହୋଇଯାଇଛି । ୨୦ ଅକ୍ଟୋବର ଦୀପାବଳି ଅମାବାସ୍ୟା ରାତି ୧୨ଟା ୪୫ ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ମଙ୍ଗଳବାର ତାଙ୍କ ମର ଶରୀର ସତ୍ଯବାଦୀର ତାଙ୍କ ପୈତୃକ ଗାଁ ଭୀମପୁରକୁ ନିଆଯାଇଥିଲା । ପରେ ଆଇଏମଟି ଫାର୍ମାସୀ କଲେଜ ଗୋପାଳପୁର, ପୁରୀ ହୋଇ ଲୋକନାଥ ବାରବାଟୀ ନୂଆ ସାହି ସ୍ଥିତ ବାସଭବନରେ ପହଞ୍ଚିଥିଲା । ମଧ୍ୟାହ୍ନ ୧୨ଟା ୩୦ ମିନିଟ ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ର ମନୋଜ ରଥ ମୁଖାଗ୍ନି ଦେଇଥିଲେ ।
ଡ଼ଃ. ରଥଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ଜ୍ଵାଇଁ, ବୋହୁ, ଧର୍ମପତ୍ନୀ ଓ ଦୁଇ ନାତୁଣୀ ଉପସ୍ଥିତ ଥିଲେ । ଡ଼ଃ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କେ ବି ସିଂହଦେଓ ଓ ପ୍ରଭାତୀ ପରିଡା, ପୁରୀ ଲୋକସଭା ସଂସଦ ଡ଼ଃ. ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଉପସଭାପତି ବିରଞ୍ଚି ତ୍ରିପାଠୀ, ସୁଦୀପ୍ତ ରାୟ, ପଞ୍ଚାନନ ରାଉତ, ପୁରୀ ଜିଲ୍ଲା କଂଗେସ ସଭାପତି ଇଂ. ରାଜେଶ ମିଶ୍ର, ପୁରୀ ଜିଲା ବିଜେପି ସଭାପତି ଡ଼ଃ. ଦେବେନ୍ଦ୍ର ନାଥ ତରାଇ, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରମା ରଞ୍ଜନ ବଳିୟାରସିଂ, ଯୁବ ନେତା କାମାକ୍ଷା ପ୍ରଧାନ, କୃଷ୍ଣ ଜଗଦେବ, ଆଦିକନ୍ଦ ଶ୍ରୀଚନ୍ଦନ, ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ