ବାରିପଦା, ୨୧ ଅକ୍ଟୋବର (ହି.ସ.)- ଦୀପାବଳି ରାତିରେ ବାରିପଦା ସହରରେ ଢ଼ାବା ମାଲିକକୁ ନିଶାସକ୍ତ ଯୁବକ ମାନେ ନିସ୍ତୁକ ପିଟାମରା କରିଛନ୍ତି। ଏନେଇ ମୁର୍ଗାବାଡ଼ି ସ୍ଥିତ କାଠମାଣ୍ଡୁ ଢ଼ାବା ମାଲିକ ଆଶିଷ କୁମାର ପ୍ରଧାନ ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି। ବାରିପଦା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଥିବା ବେଳେ ବାରମ୍ବାର ଅପରାଧିକ କାର୍ଯ୍ୟକଳାପ ଘଟି ଚାଲିଛି।
ସୋମବାର ରାତି ପ୍ରାୟ ୧୧ଟା୧୫ ସମୟରେ ୨ଟି ବାଇକ ଓ ଗୋଟିଏ ସ୍କୁଟିରେ ମୋଟ ୭ ଜଣ ଯୁବକ ଢ଼ାବାକୁ ଆସି ଗାଳିଗୁଲଜ କରିଥିଲେ। ଏହାପରେ ସଂଘବଦ୍ଧ ଭାବେ ଢ଼ାବା ମାଲିକ ଆଶିଷ କୁମାର ପ୍ରଧାନଙ୍କୁ ଠେଙ୍ଗାରେ ନିସ୍ତୁକ ମାରପିଟ କରିଥିଲେ। ଏହାସହିତ ସିସିଟିଭି, ଚେୟାର, ଟେବୁଲ ଆଦି ଭାଙ୍ଗି ଚୁରମାର କରି ଦେଇଛନ୍ତି। ଅନ୍ୟ କର୍ମଚାରୀ ମାନେ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ ଓ ପିଟାମରା କରିଥିଲେ। ଆକ୍ରମଣରେ ଆଶିଷଙ୍କ ରକ୍ତସ୍ରାବ ହୋଇ ଚେତାଶୂନ୍ୟ ହୋଇ ଯାଇଥିଲେ। ଢ଼ାବା କର୍ମଚାରୀ ପୁଲିସକୁ ଖବର ଦେବାରୁ ସେମାନେ ଗୋଟିଏ ବୁଲେଟ ବାଇକକୁ ଛାଡିକି ଫେରାର ହୋଇ ଯାଇଥିଲେ। ଦୀପାବଳି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଯୁବକ ମାନେ ଗୁଣ୍ଡାରାଜ କରିଛନ୍ତି। ଖବର ପାଇ ଭଞ୍ଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିଛନ୍ତି। ଆକ୍ରମଣରେ ଢ଼ାବା ମାଲିକ ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଛି। ଭଞ୍ଜପୁର ଥାନାରେ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ବାଇକ ଜବତ କରି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ