ଜୟପୁର, ୨୧ ଅକ୍ଟୋବର (ହି.ସ.) - ଦିନରେ ଠୋ ଠୋ ଖରା ହେଉଥିବା ବେଳେ ଅପରାହ୍ନ ୪ଟା ବେଳେ ଆସିଥିଲା କଳାହାଣ୍ଡିଆ ମେଘ ସହ ବର୍ଷା। ବର୍ଷାକୁ ଦେଖି ଲୋକେ ଚିନ୍ତା କରିଥିଲେ ଆଜିର ଦିପାବଳୀ ଫିକା ପଡିଯିବ ବୋଲି କିନ୍ତୁ ସନ୍ଧ୍ୟା ୬ଟାରେ ସାମାନ୍ୟ ଝିପି ଝିପି ବର୍ଷା ହେବା ପରେ ସଂପୂର୍ଣ୍ଣ ବର୍ଷା ବନ୍ଦ ହୋଇଯାଇଥିଲା। ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଗଲା ଢୋଢା। ଅପରାହ୍ନରେ ବର୍ଷାର ଶବ୍ଦ ଠାରୁ ଢୋଢା ଶବ୍ଦ ରେ କାନ ଫାଟି ପଡୁଥିଲା। ୭ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାରା ସହର ବାଣରେ ଶକ୍ତ ଆବାଜରେ ପୁରା ଫାଟି ପଡୁଥିଲା। ଆଲୋକର ରୋଷଣୀରେ ସଜେଇ ହୋଇଥିବା ସହର ରାତି ବେଳକୁ ବାଣର ଶବ୍ଦ ସାଙ୍ଗକୁ ଧୂଆଁରେ ଘୋଡେଇ ହୋଇ ରହିଥିଲା। ଏହି ହେଉଛି ଦିପାବଳୀ ସନ୍ଧ୍ୟାରେ ଜୟପୁର ସହରର ଦୃଶ୍ୟ। ଆଲୋକର ପର୍ବ ଦିପାବଳୀ ପାଇଁ ଜୟପୁରରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। କିନ୍ତୁ ଚଳିତ ବର୍ଷ ଦୁଇଦିନ ଦିପାବଳୀ ହେଉଥିବା ଯୋଗୁଁ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କମ ସପ୍ସଖ୍ୟାରେ ବାଣ ଫୁଟାଯାଇଥିଲା। ପ୍ରତିଯୋଗୀତା ମୁଡରେ ଲୋକମାନେ ଘରକୁ ବାଣ ବୋହି ନେଇଥିଲେ। ଏହା ପ୍ରତିଫଳନ ଦେଖିବାକୁ ମିଳିଥିଲା ଦିପାବଳୀ ସନ୍ଧ୍ୟାରେ। ସନ୍ଧ୍ୟା ସମୟରେ ସହରବାସୀ ଘରେ ପାରମ୍ପରିକ ପୂଜାପାଠ କରିବା ସହ ଦୀପ ଜାଳିଥିଲେ। କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିଥିଲେ। ନୂଆ ଚୁଡା ଖାଇଥିଲେ। ଏଥି ସହ କେତେକ ଘର ସମ୍ନାରେ ଲିଚୁ ଓ ରଙ୍ଗିନ ଆଲୋକ ସଜା ହୋଇଥିଲା। ପରେ ଆରମ୍ଭ ହୋଇଥିଲା ବାଣଫୁଟା। ଛୋଟ ଛୋଟ ପିଲାମାନେ ଫ୍ୟାନସି ବାଣ ଫୁଟାଇଥିଲେ। ଅଭିଭାବକଙ୍କ ସହ ମିଶି ସେମାନେ ଦୁପଦୁପି, ଝୁରଝୁରୀ,ସାପ, କାଠି, ସପ୍ତରଙ୍ଗୀ, ଚକ୍ରୀ ଆଦି ବାଣର ମଜା ନେଇଥିଲେ। ରଙ୍ଗବେରଙ୍ଗ ବାଣ ଫୁଟାଇ ସେମାନେ ଘର ଭିତରକୁ ଫେରିବା ବେଳକୁ ଶବ୍ଦ କରୁଥିବା ବାଣ ଫୁଟା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ପ୍ରକାରର ବମ, ସଟସ, ଗଙ୍ଗାଯମୁନା, ହାବେଳୀ, ରକେଟ, ଆଦି ବାଣ ଫୁଟିଥିଲା। ପ୍ରଚଣ୍ତ ଶବ୍ଦ ସଓଙ୍ଗକୁ ପ୍ରବଳ ଧୁଆଁ ଜୟପୁର ଆକାଶକୁ ଛାଇଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଉଥିଲ। କେତେକ ସ୍ଥାନରେ ସାହି ସାହି ମଧ୍ୟରେ ପ୍ରତିଯୋଗୀତା ମୁଡରେ ହାବେଳୀ ଛାଡୁଥିବା ଦେଖା ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ବାଣ ଫୁଟୁଥିଲା। ତେବେ ସେ ଭାଗ୍ୟକ୍ରମେ ବାଣଫୁଟା ସମୟରେ କୌଣସି ସ୍ଥାନରେ କିଛି ଅଘଟଣ ଘଟି ନ ଥିଲା। ବାଣରେ ପୋଡି ହୋଇ ଡାକ୍ତରଖାନଓକୁ କେହି ଆସି ନଥିବା ବେଳେ କୌଣସି ସ୍ଥାନରେ ନିଆଁ ଲାଗି ନଥିଲା। ସହରରେ ପ୍ରାୟ ୪୩ ଟି ବାଣ ଖୋଲିଥିବା ବେଳେ କିଛି ହୋଲସେଲର ନିଜ ନିଜ ଗୋଦାମରେ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି। ବିଜୟନଗରମ,ବିଶାଖାପାଟଣା ଓ ଜଗଦଲପୁର ସହରରୁ ମଧ୍ୟ କିଛି ବାଣ ଏଠାକୁ ଆସିଥିବା ଜଣାପଡିଛି। ଏମିତି ବାଣଫୁଟା କାରଣରୁ ସହରରେ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ଚରମ ସ୍ତରରେ ପହଂଚିଥିଲେ ମଧ୍ୟ ପ୍ରଶାସନର ଏ ଦିଗ ପ୍ରତି ମୋଟେ ଧ୍ୟାନ ନଥିଲା। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣଫୁଟା ହୋଇଥିଲେ ମଧ୍ୟ ପୁଲିସ ବାରଣ କରିନଥିଲା। ଆସନ୍ତା କାଲି ହିନ୍ଦୁ ସମାଜ ପକ୍ଷରୁ ସ୍ଥାନୀୟ ରଥ ପଡିଆ ନିକଟରେ ଥିବା ରଘୁନାଥ ମନ୍ଦିର ପ୍ରାଙ୍ଗଣରେ କର୍ମକର୍ତା ମାନେ ୧୦୮ ଦୀପ ଲଗାଇ ଦୀପାବଳି ପାଳନ କରିଥିଲେ। ସେହିପରି ସ୍ଥାନୀୟ ଧୋବା ସାହି ଛକ ନିକଟରେ ଶହିଦଙ୍କ ନିମନ୍ତେ ଦୀପଟିଏ କାର୍ଯ୍ୟକ୍ରମ କରି ରାସ୍ତା ଉପରେ ରଙ୍ଗୋଲି କରି ସହିଦଙ୍କ ଉଦ୍ଧେଶ୍ୟରେ ଦୀପ ଲଗାଇ ଦୀପାବଳି ପାଳନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି