ବାରିପଦା, ୨୧ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦେଶ କ୍ରମେ ବେତନଟୀ ଅବକାରୀ ଥାନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ମୋବାଇଲ ଟିମ ସହାୟତାରେ ମଙ୍ଗଳବାର ସକାଳେ ବୈଶିଙ୍ଗା ଥାନା ଅଧୀନ ହାତୀଝୁରି ଗ୍ରାମରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ପୂର୍ବକ ଅଭିଯୁକ୍ତକୁ ଗିରଫ କରାଯାଇଛି l ତେବେ ଏହି ମାମଲାର ମୁଖ୍ୟ କାର୍ପଟଦାର ଫେରାର ଅଛି l ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଉଛି ହାତୀଝୁରି ଗ୍ରାମର ପଦ୍ମଲୋଚନ ସିଂଙ୍କ ପୁଅ ବାପୁନି ଓରଫ ଧନଞ୍ଜୟ ସିଂl
ଗିରଫ ଅଭିଯୁକ୍ତ ଧନଞ୍ଜୟ ସିଂଙ୍କ ବୈଶିଙ୍ଗା ବଜାର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ହୋଟେଲ ଥିବାବେଳେ ସେ ନକଲି ବିଦେଶୀ ମଦ କାରବାର କରିଆସୁଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା l ଏହାପରେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ମୋବାଇଲ ଟିମ ସହାୟତାରେ ଅଭିଯୁକ୍ତ ବାପୁନି ଓରଫ ଧନଞ୍ଜୟ ସିଂର ହାତୀଝୁରିସ୍ଥିତ ଘରେ ଚଢ଼ଉ କରିଥିଲେ l ଚଢ଼ଉ ସମୟରେ ଘରବାଡ଼ି ପଛରେ ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲେ l ଅବକାରୀ ବିଭାଗ ବିକ୍ରୟ ପାଇଁ ଉଦ୍ଦିଷ୍ଟ ୫୪ଟି ବୋତଲରେ ଭର୍ତ୍ତି ୪୦ ଲିଟରରୁ ଊର୍ଦ୍ଧ୍ୱ ନକଲି ବିଷାକ୍ତ ବିଦେଶୀ ମଦ ଜବତ କରିଥିବା ବେଳେ ବିଭିନ୍ନ କମ୍ପାନୀର ଦୁଇଶହ ପାଖାପାଖି ଖାଲି ମଦ ବୋତଲ ଜବତ କରିଛନ୍ତି l ନଡପୁର ଉପକଣ୍ଠ କଇଁଫୁଲିଆ ଗ୍ରାମର ଯଦୁ ନାମକ ଯୁବକ ଏହି ନକଲି ବିଷାକ୍ତ ବିଦେଶୀ ମଦ ଯୋଗାଉଥିବା ନେଇ ଗିରଫ ଅଭିଯୁକ୍ତ ବାପୁନି ଓରଫ ଧନଞ୍ଜୟ ଅବକାରୀ ବିଭାଗ ଆଗରେ ବୟାନ ଦେଇଛିl ଏନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ