ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ ର ସୀମାନ୍ତବର୍ତ୍ତି ଅଞ୍ଚଳ , ଚିର ଅବହେଳିତ ଅଞ୍ଚଳ ଭାବେ କୁଟାସିଂହା ପରିଚିତ। ଏହି ପଂଚାୟତ କୁଟାସିଂହା ର ଅଙ୍ଗନବାଡି କେନ୍ଦ୍ର (ଗ ) ଅବସ୍ଥା ଶୋଚନୀୟ ହୋଇପଡିଥିବା କାନ୍ଥ ଫାଟି ଆଁ କରିଥିବାର ଦୃଶ୍ୟ ଦେଖିବାକୁ ମିଳିବାର ଅଭିଯୋଗ ମଧ୍ୟ ହୋଇଛି | ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ଶିଶୁ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ବ୍ୟବସ୍ଥା ଅଛି ହେଲେ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ଗ୍ରାମପଞ୍ଚାୟତ ବିକାଶ ପାଣ୍ଠିର ବାର୍ଷିକ ଖସଡ଼ାରେ ସାମିଲ ନ କରିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବର୍ଷ ବର୍ଷ ଧରି ବର୍ଷା ମାସରେ ପାଣି ଖାଇ କବାଟର ତଳ ଅଂଶ ମଧ୍ୟ ଝଡି ଯାଇ ବଡ଼ ଫାଙ୍କ ସୃଷ୍ଟି ହୋଇଛି | କବାଟ, ଝରକା ମଧ୍ୟ ଭାଙ୍ଗି ଯାଇଛି | ଏଠାରେ ପାଚେରୀ ନ ଥିବାରୁ ଏହା ଫଳରେ ଅନାୟାସରେ ବୁଲା କୁକୁର, ବିଲେଇ, ସରିସୃପ କୋଠରୀ ଭିତରକୁ ଅବାଧରେ ପଶିଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।
ଏ ବିଷୟରେ ପୂର୍ବତନ ସରପଂଚ ନକୁକ ପାତ୍ର ଏହା ଏକ ସମ୍ବେଦନଶୀଳ ବିଷୟ ବୋଲି ଦୁଃଖର ସହ ପ୍ରକାଶ କହିଛନ୍ତି | ଏଠାରେ ଶିଶୁଙ୍କୁ ଖାଇବାକୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ତଥା ବିଭିନ୍ନ ଉପକରଣ ମହଜୁଦ ରଖାଯାଇଛି | ଫଳରେ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଛୁଆଙ୍କୁ ଛାଡିବାକୁ ଅଭିଭାବକ ସୁରକ୍ଷିତ ମଣୁ ନଥିବା କହିଛନ୍ତି |
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଏନେଇ ଅଙ୍ଗନବାଡି କର୍ମୀ ରିତା ମହାଲିଙ୍ଗଙ୍କୁ ସମସ୍ୟା ସମ୍ପର୍କରେ ପଚାରିଲେ ସୁପରଭାଇଜର ତଥା ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ବହୁବାର ଜଣେଇଥିବା କହିଛନ୍ତି | ଅଭିଭାବକଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ରରେ ଶୌଚାଳୟ କାର୍ଯ୍ୟକ୍ଷମ ନ ଥିବାରୁ ଶିଶୁ ମାନେ ବହୁ ଅସୁବିଧା ଭୋଗୁଛନ୍ତି | ଏନେଇ ସିଡିପିଓ ଶୁଭଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗିନଥିଲା | ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ କରିଛନ୍ତି ଓ ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ