ଭଦ୍ରକ, ୨୧ ଅକ୍ଟୋବର (ହି.ସ.) - ଆଜିର ଦିନଟି ଭାରତବର୍ଷର ସମସ୍ତ ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଦିବସ। ଆଜିକୁ ଠିକ୍ ୬୬ ବର୍ଷ ତଳେ ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ୧୦ ଜଣ ସିଆରପିଏପ୍ ଯବାନ ନିଜ ମାତୃଭୂମି ପାଇଁ କାର୍ଯ୍ୟରତ ଥିବା ସମୟରେ ଚୀନ ସୈନିକମାନଙ୍କ ହାତରେ ଲାଦାଖ ସୀମାରେ ପ୍ରାଣବଳି ଦେଇ ସହୀଦ ହୋଇଥିଲେ। ସେହିଦିନ ଠାରୁ ଉକ୍ତ ଦିନଟିକୁ ପ୍ରତିବର୍ଷ ସହୀଦ ଦିବସ ରୂପେ ପାଳନ କରାଯାଉଛି। ଯେଉଁ ପୁଲିସ୍ କର୍ମଚାରୀମାନେ କର୍ତବ୍ୟରତ ଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ପ୍ରତି ଆଜି ଗଭୀର ସମ୍ମାନ ପ୍ରଦର୍ଶନ କରାଯାଉଛି। ଦେଶ ଓ ସମାଜ ପାଇଁ ନିଷ୍ଠା, ତ୍ୟାଗ ଓ ବଳିଦାନ ଭାରତୀୟ ପୁଲିସ୍ କର୍ମଚାରୀମାନଙ୍କର ଏକ ମହାନ୍ ପରମ୍ପରା ହୋଇ ରହିଆସୁଛି। ଏହି ସହିଦମାନଙ୍କର ଦେଶ ଓ ସମାଜ ପାଇଁ ଯେଉଁ ଆଶା ଓ ସ୍ୱପ୍ନର ଭାର ଥିଲା, ତାହାକୁ ସାକାର କରିବା ଦିଗରେ ଆମେ ଶତତଃ ଚେଷ୍ଟା କରିବୁ। ଏ ଦିଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଆମମାନଙ୍କୁ ଶତସିଂହର ବଳ ଦେଇଛି। ଗତବର୍ଷ ଆମ ଦେଶର କାର୍ଯ୍ୟରତ ୧୯୧ ଜଣଙ୍କ ସମେତ ଓଡ଼ିଶାର ୨ ଜଣ ପ୍ରାଣବଳି ଦେଇ ସହିଦ ହୋଇଥିବା କର୍ମଚାରୀମାନଙ୍କୁ ଆଜି ଭଦ୍ରକ ଚରମ୍ପା ସ୍ଥିତ ପୁଲିସ ରିଜର୍ଭ ପଡିଆରେ ୬୬ତମ ପୁଲିସ ସହିଦ ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏବଂ ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିବା ସହ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ, ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀମାନେ ଉପସ୍ଥିତ ଥିବାବେଳେ ଏହି ପ୍ୟାରେଡ୍କୁ ରିଜର୍ଭ ଇନ୍ସିପେକ୍ଟର ପରିଚାଳନା କରିଥିଲେ। ଏହି ଉତ୍ସବରେ ବହୁ ସେବାନିବୃତ ପୁଲିସ ଅଧିକାରୀ, କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ