ବଲାଙ୍ଗିର, ୨୧ ଅକ୍ଟୋବର (ହି.ସ.)- ଆଜି ବଲାଙ୍ଗୀର ମନୋହରପୁର ପୋଲିସ ପଡିଆଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୭ତମ ସହିଦ ଦିବସ ପାଳିତ ହୋଇଯାଇଛି। ବଲାଙ୍ଗୀର ଏସପି ଅଭିଳାଷ ଜୀ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହିତ ସହିଦ ହୋଇଥିବା ପୋଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ପ୍ରକାଶ ଯେ, ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖରେ ଚୀନସେନାଙ୍କ ଛଳନାପୂର୍ଣ୍ଣ ଆକ୍ରମଣରେ ୧୦ ଜଣ ପୋଲିସ ସହିଦ ହୋଇଥିଲେ। ସେଥିପାଇଁ ୨୧ ଅକ୍ଟୋବରକୁ ଭାରତ ସରକାର ସହିଦ ଦିବସ ଭାବରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ସହିଦ ହେଉଥିବା ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଆଜି ଏସପି ଅଭିଲାଷ ଜୀ ସେହି ସହିଦମାନଙ୍କ ନାମ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଏହା ସହିତ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସହିଦ ଦିବସ ଉପଲକ୍ଷେ ଦେଇଥିବା ବାର୍ତ୍ତାକୁ ମଧ୍ୟ ପଢି ଶୁଣାଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ରିଜର୍ଭ ପୋଲିସର ଆରଆଇଙ୍କ ନେତୃତ୍ୱରେ ୬୭ ଜଣ ପୋଲିସ ପ୍ୟାରେଡ କରିଥିଲେ। ଏସପି ସେମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ହିମାଂଶୁ ବେହେରା, ଗୁଣନିଧି ମଲ୍ଲିକ, ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଅସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶରତକୁମାର ସୁନା, ଆଦର୍ଶଥାନା ଆଇଆଇସି ଅବନୀ ସାହୁ, ସଦର ଆଇଆଇସି ରାଜକୁମାର ବିଶ୍ୱାଳ, ସାଇବର ଆଇଆଇସି ଭାରତୀ ନାଏକ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ସାମ୍ବାଦିକ ଗଣ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ