ଭଦ୍ରକ, ୩ ଅକ୍ଟୋବର (ହି.ସ.) - ପରକୀୟା ପ୍ରୀତି କେତେ ଯେ ଭୟଙ୍କର, ସମାଜରେ ପ୍ରତିଷ୍ଠିତ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କେତେ ମାତ୍ରାରେ ଅନ୍ଧ କରି ଦେଇପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଜେନାଙ୍କ କ୍ଷେତ୍ରରେ । ପରକୀୟା ପ୍ରୀତି ଯୋଗୁ ନିଜ ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢୀରେ ହାଣି ହତ୍ୟା କରିଛନ୍ତି ପିଶାଚ ସ୍ୱାମୀ । ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି ନନ୍ଦିପଦା ଥାନା ଡଅଁର ଗାଁରେ । ବେଶ୍ କିଛି ବର୍ଷ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିବା କାରଣରୁ ସ୍ତ୍ରୀ ନିଜ ସୋସୋ ଥାନା ଅଧିନ ମୌଦା ଗ୍ରାମର ବାପଘରେ ରହୁଥିଲେ । ସେଠାରେ ସେ ସିଲେଇ କରି ନିଜ ପୁଅ ଓ ଝିଅଙ୍କୁ ପାଠ ପଢାଉଥିଲେ । ଏପଟେ ଦେବୀ ପ୍ରସାଦ ପରକୀୟା ପ୍ରୀତିରେ ମାତିଥିଲେ । ଯେଉଁଥିପାଇଁ ସେ ନିଜ ପୁଅ,ଝିଅ ଓ ସ୍ତ୍ରୀଙ୍କୁ ଅନେକ ସମୟରେ ମାର, ଧର କରି ନିଜ ଘର ଡଅଁର ଗାଁ ରେ ସେମାନଙ୍କୁ ରହିବାକୁ ଦେଉ ନ ଥିଲେ । ଅନ୍ୟ ପକ୍ଷରେ ସୋସୋ ଥାନା ମୌଦାର ବାପଘରେ ରହି ଝିଅକୁ +୨ ଓ ପୁଅକୁ ମାଟ୍ରିକ୍ ପାସ୍ କରାଇଥିଲେ ସ୍ତ୍ରୀ ସୁଦେଷ୍ଣା । ଗତ କିଛିଦିନ ତଳେ ସ୍ତ୍ରୀ ଉଭୟ ଝିଅ ଅର୍ପର୍ିତା ଓ ପୁଅ ସତ୍ୟପ୍ରକାଶଙ୍କୁ ନେଇ ଡଅଁରରେ ରହି ଆସୁଥିଲେ । ଏପଟେ ବଢିଲା ପୁଅ ଭୟରେ ମାକୁ କିଛି କହି ପାରୁ ନଥିଲେ ସ୍ୱାମୀ ଦେବୀ ପ୍ରସାଦ । ହେଲେ ସୁଯୋଗ ଅପେକ୍ଷାରେ ଥିବା ସ୍ୱାମୀ ଦେବୀ ପ୍ରସାଦ ଗୁରୁବାର ଅପରାହ୍ନରେ ସ୍ତ୍ରୀ ସୁଦେଷ୍ଣାଙ୍କୁ କଣ ରାନ୍ଧିଛ ବୋଲି ପଚାରି ଥିଲା । ପରେ ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଘଟଣାକୁ ନେଇ ବଚସା ହୋଇଥିଲା । ଉତ୍କ୍ଷିପ୍ତ ଦେବୀ ପ୍ରସାଦ ପ୍ରଥମେ ଝିଅକୁ ଫୁଲ ଡାଳ କାଟିବାକୁ କହି ଦାଆ ମାଗିଥିଲେ,ହେଲେ ପାଶ୍ୱର୍ରେ ଥିବା କୁରାଢୀ ଆଣି ସୁଦେଷ୍ଣାଙ୍କ ବେକକୁ ହାଣି ଫେରାର ହୋଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦେଷ୍ଣା ତଳେ ପଡିଥିବା ବେଳେ ଝିଅ ଅର୍ପିତା ପଡୋଶୀଙ୍କୁ ଡାକ ପକାଇଥିଲେ । ପରେ ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ପ୍ରଥମେ ନିକଟସ୍ଥ ସାଳଣିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଦେବୀ ପ୍ରସାଦଙ୍କ ପୁଅ ତାଙ୍କ ପିତା ଦୀର୍ଘ ବର୍ଷ ହେବ ପରିବାରର ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କ ମାଙ୍କୁ ନିର୍ଯାତନା ଦେଉଥିବା ଏବଂ କୁରାଢୀରେ ହାଣି ହତ୍ୟା କରିଥିବା ନେଇ ନନ୍ଦୀପଦା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଅଚଂଳରେ ଚାଂଚଲ୍ୟ ଖେଳିଯାଇଛି । ଫେରାର ହତ୍ୟାକାରୀକୁ ଗିରଫ୍ କରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ୍ । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଅନୁସନ୍ଧାନକାରୀ ଦଳ ତଦନ୍ତ ଜାରି ରଖିôଥିବା ବେଳେ ଏକ ଶୋକାକୂଳ ପରିବେଶ ମଧ୍ୟରେ ମୃତକ ସୁଦେଷ୍ଣାଙ୍କୁ ଦାହ କରାଯାଇଛି । ଅନ୍ୟ ପକ୍ଷରେ ଫେରାର୍ ଥିବା ହତ୍ୟାକାରୀ ଏବିଡିଓଙ୍କ ଟେର୍ ପାଇନି ପୋଲିସ୍ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ