ଓଡ଼ିଶାରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା ଅନୁମୋଦିତ
ଭୁବନେଶ୍ୱର, ୩ ଅକ୍ଟୋବର (ହି.ସ.)-ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ବିଶେଷ ଗ୍ରାମ ସଭା ଆୟୋଜିତ ହୋଇଥିଲା । ଏହି ଅଭିଯାନରେ ସମଗ୍ର ରାଜ୍ୟରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା ଅନୁମୋଦନ ପାଇଛି, ଯାହା ଆଦିବାସୀ ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ, ଅଂଶଗ୍ରହଣକାରୀ ଏବଂ ଉତ୍ତରଦାୟିତ୍ୱ ଶାସନ ମିଶନର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରି ପାରିଛି ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି ଆଦି କର୍ମଯୋଗୀ ଅଭିଯାନ । ଏହା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଂଶ । ସେବା, ସମର୍ପଣ ଏବଂ ସଂକଳ୍ପ ଭାବନାରେ ପରିପୂର୍ଣ୍ଣ ଏହି ଅଭିଯାନ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପ୍ରଦାନ କରିବ ।
ଓଡ଼ିଶାରେ ଏହି ଅଭିଯାନରେ ୨୨ଟି ଜିଲ୍ଲାର ୨୧୩ଟି ବ୍ଲକ୍ ର ୭,୬୨୩ଟି ଗ୍ରାମ ସାମିଲ୍ ହୋଇଛି । କାର୍ଯ୍ୟାନ୍ୱୟନ ପାଇଁ ୧ ଲକ୍ଷ ଆଦି ସାଥୀ ଓ ୩୦,୦୦୦ ଆଦି ସହଯୋଗୀଙ୍କୁ ସଂଗଠିତ କରାଯାଇଛି । ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ୫୦ରୁ ଅଧିକ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ /ଏନଜିଓଙ୍କୁ ସହଭାଗୀ ଭାବରେ ସାମିଲ୍ କରାଯାଇଛି ।
ଚିହ୍ନଟ କରାଯାଇଥିବା ସମସ୍ତ ଗ୍ରାମରେ ୭,୬୨୩ଟି ଆଦି ସେବା କେନ୍ଦ୍ର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୬,୨୫୫ଟି ଆଦି ସେବା କେନ୍ଦ୍ର ଅକ୍ଟୋବର ୨ ରେ ଉଦ୍?ଘାଟିତ ହୋଇଛି । ଏହି କେନ୍ଦ୍ରଗୁଡ଼ିକ ସେବା ପ୍ରଦାନ ଏବଂ ସାମୁଦାୟିକ ସମ୍ପୃକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ଗ୍ରାମରେ ସାମୁଦାୟିକ ପଦଯାତ୍ରା, ଗ୍ରୁପ୍ ଆଲୋଚନା , ସମ୍ବଳ ଏବଂ ଭିଜନ୍ ମ୍ୟାପିଂ ଭଳି ପଦକ୍ଷେପ ଗ୍ରହଣ କରି ଗ୍ରାମ କାର୍ଯ୍ୟ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବହୁ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଏହି ଅଭିଯାନ ଗ୍ରାମୀଣ ଅଞ୍ଚଳରେ ସୁଶାସନକୁ ଶକ୍ତିଶାଳୀ କରୁଛି ଓ ଲୋକଙ୍କର ଶାସନକଳ ପ୍ରତି ବିଶ୍ୱାସକୁ ପୁନଃସ୍ଥାପନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା