ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ଠାରେ ଥିବା ମତ୍ସ୍ୟପୋତାଶ୍ରୟ ନାହିଁ ନାହିଁରେ ଚାଲିଛି। ଦୀର୍ଘ ବର୍ଷ ହେବ ଏହି ମତ୍ସପୋତାଶ୍ରୟ ମୁରବୀ ବିହୀନ ହୋଇ ପଡିଥିବା ବେଳେ ଏହି ଅଫିସରେ କାର୍ଯ୍ୟ କରୁଥିବା ସେବା ନିବୃତ ବଡବାବୁ ଏବଂ କିରାଣୀ ମହାଶୟ ଜଣକ ଢୋଲ ଭିତରେ ମୂଷା ସଦୃଶ ହୋଇ ପଡିଛନ୍ତି। କମ୍ପାନୀ କା ମାଲ ଦରିଆ ମେ ଡାଲ ନୀତି ଆପଣାଇବା ସହ ରାଧେ ରାଧେ ତୋର ଅଧେ କୁ ମୋର ଅଧେ କରିବାକୁ ପଛାଉ ନାହାନ୍ତି। ଏହି ମତ୍ସ୍ୟପୋତାଶ୍ରୟରେ ଥିବା ପରିଚାଳକ ମହାଶୟ ବାଲେଶ୍ୱର ବାହାବଳପୁର ଜେଟୀ ଦାୟିତ୍ୱରେ ଥବା ବେଳେ ଧାମରା ଜେଟୀ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ ତୁଲାଉଛନ୍ତି। ସଂପୃକ୍ତ ପରିଚାଳକ କେବଳ ରବର ଷ୍ଟାମ୍ପ ସଦୃଶ କାର୍ଯ୍ୟ କରୁଥିବା ବେଳେ ମତ୍ସ୍ୟ ପରିଚାଳନା କେନ୍ଦ୍ରର ହାନିଲାଭ ମଧ୍ୟ କେବଳ ଆଖିଦୃଶିଆ ଅଡିଟ କରାଇ ଦେଇ ପାର ହୋଇ ଯାଉଛନ୍ତି। ଏହି ପୋତାଶ୍ରୟ ଅଧିନରେ ବଡବାବୁ(ମୁଖ୍ୟ କିରାଣୀ)ଜଣକ ଦୀର୍ଘ ବର୍ଷ ହେବ କାର୍ଯ୍ୟ ନିବୃତ ହୋଇ ସାରିବା ପରେ ମଧ୍ୟ କେଉଁ ପରିସ୍ଥିତିରେ ଆସି ଗାଦି ମାଡି ବସୁଛନ୍ତି ତାହା ଚିନ୍ତା ଜନକ। ସଂପୃକ୍ତ ବ୍ୟକ୍ତି ଜଣକ ସବୁ କଥାରେ ମୁଣ୍ଡ ପୁରାଇ ଲାଭାଂଶ ଏବଂ ଅନ୍ୟ ଆୟରୁ ଭଲ ରୋଜଗାର କରୁଥିବା ନେଇ ମଧ୍ୟ ମତ୍ସ୍ୟ ଏବଂ ପଶୁପାଳନ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସେହିପରି ଏହି ଅ‘ିସରେ ଥିବା ପିଅନ ଚାକିରୀରୁ ଅବ୍ୟାହତି ନେଇ ସାରିବା ପରେ ମଧ୍ୟ ଅ‘ିସରେ କେଉଁ ପରିସ୍ଥିତିରେ ଡ୍ୟୁଟି କରୁଛନ୍ତି ତାହା ମଧ୍ୟ ତଦନ୍ତ ପରିସର ହେବା ଜରୁରୀ। ସେହିପରି ପ୍ରଥମେ କନିଷ୍ଠଯନ୍ତ୍ରୀ ପଦବୀ ରେ ରହିବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ଡିପ୍ଲୋମା ଇଞ୍ଜିନିୟରିଂ ପାଠ ଶେଷ ନକରି ପାରିବାରୁ ବାଧ୍ୟ ହୋଇ କିପରି ମାଟ୍ରିକ ପାଶ କରି ୟୁଡିସି(କନିଷ୍ଠ ବଦଳରେ ବରିଷ୍ଠ କିରାଣୀ ଚାକିରୀ) ପାଇଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ବିଗତ ଦିନରେ ଏହି ପୋତାଶ୍ରୟର କର୍ମଚାରୀ ଡୁପ୍ଲିକେଟ ରସିଦ ଛପାଇ ଚିଙ୍ଗୁଡି କମ୍ପାନୀ ମାନଙ୍କ ପାଖରୁ ଶହ ଶହ ଟଙ୍କା ଆତ୍ମସାତ କରିବା ଖବର ଜଣା ପଡିବା ପରେ ମଧ୍ୟ ଆଜି ଭଳି ଦିନରେ ସଂପୃକ୍ତ ପରିଚାଳକ ସଜାଗ ନ ହୋଇ ସବୁ କଥା ନିଜ ଭିତରେ ଚାପି ଦେଉଛନ୍ତି ତାହା ମଧ୍ୟ ତଦନ୍ତା ସାପେକ୍ଷ ହୋଇ ପଡିଛି। ଏହି ମତ୍ସ୍ୟପୋତାଶ୍ରୟ ମଧ୍ୟରେ ପାଣି ର ମାସିକିଆ ବିଲ ୨ଶହ ଟଙ୍କାରୁ କମ ହୋଇଥିବା ବେଳେ ଧାମରା ବଜାର ଦୋକାନୀ ମାନଙ୍କ ପାଖରୁ ମାସିକିଆ ୧ହଜାରରୁ ଆରମ୍ଭ କରି ୨ହଜାର ଟଙ୍କା ଏବଂ ସାଧାରଣ ଜନତାଙ୍କ ଠାରୁ ମାସିକିଆ ୫ଶହ ଟଙ୍କା ଆଦାୟ କରୁଛନ୍ତି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ।ଏହି ମତ୍ସ୍ୟପୋତାଶ୍ରୟର ଦାୟିତ୍ୱରେ ଭଦ୍ରକ ଉପଜିଲ୍ଲାପାଳ ରହିଥିବା ବେଳେ କିପରି ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ଜାଣିଶୁଣି ନୀରବ ରହିବାକୁ ଶ୍ରେୟ ମଣୁଛନ୍ତି ତାହା ମଧ୍ୟ ଚର୍ଚା ର ବିଷୟ ପାଲଟିଛି। ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ମତ୍ସ୍ୟପୋତାଶ୍ରୟଟି ଏକ ଇତିହାସ ପାଲଟିବା ସହ ଏଥିରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଢୋଲ ଭିତରେ ମୂଷା ହୋଇ ସଂପୂର୍ଣ ମତ୍ସ୍ୟପୋତାଶ୍ରୟ ମାଲିକ ହୋଇ ନଯିବେ ତାହା ସମୟ ହିଁ କହିବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ