କେନ୍ଦ୍ରାପଡ଼ା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଏବଂ ଡ଼. ବାସୁଦେବ ଦାସ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ରଖିବା ସହିତ ଗାନ୍ଧିଜୀଙ୍କ ଓଡିଶା ଆଗମନ, କେନ୍ଦ୍ରାପଡ଼ାରେ ରହନି, ଗାନ୍ଧିଜୀଙ୍କ ଦର୍ଶନ ଓ ଆଦର୍ଶକୁ ପଥେଇ କରିବାକୁ କହିଥିଲେ | ଏହି ମହାପୁରୁଷଙ୍କ ଜୀବନୀ ଓ ବିଚାର ନିରନ୍ତର ପ୍ରେରଣାର ଉତ୍ସ ବୋଲି କହିଥିଲେ | ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଅବଗତ କରାଇ ଥିଲେ | ଜିଲ୍ଲାପାଳ ତାଙ୍କର ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ପଥେଇକରି ନିଜ ନିଜ ଜୀବନ ଶୈଳୀ ତଥା ସତ୍ୟ ପଥରେ ଆଗକୁ ବଢିବାକୁ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଗାନ୍ଧିଜୀଙ୍କ ବିଚରା ଓ ମୂଲ୍ୟବୋଧ ଆଜିବି ପ୍ରାସଙ୍ଗିକତା ବୋଲି କହିଛନ୍ତି |ଏହା ସହିତ ଅହିଂସା ପରମଧର୍ମ, ଅହିଂସା ବଳରେ ଦେଶରୁ ବ୍ରିଟିଶ ଶାସନର ମୁଳତ୍ପାଟ ସମ୍ଭବ ହୋଇଥିଲା ବୋଲି ବକ୍ତା ମାନେ କହିଥିଲେ | ସର୍ବଧର୍ମ ପ୍ରାଥନାରେ ଧର୍ମଗୁରୁ ମାଧବ ଚରଣ ନନ୍ଦ, ମହମ୍ମଦ ଇନାଇତୁଲ୍ଲା ଏବଂ ଧ୍ରୁବ ଚରଣ ନାୟକ ଯଥାକ୍ରମେ ଗୀତ ପାଠ, କୋରାନ ଏବଂ ବାଇବେଲ ପାଠ କରିଥିଲେ | ପରେ ପୂର୍ବରୁ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁଙ୍କ ସମେତ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,
ଅଭିଭାବକ ବିଭିନ୍ନ ଗଣ ଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ସଭା ପରିଚାଳନା କରିଥିଲେ | ଆଜି ସକାଳରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ଜିଲ୍ଲାପାଳଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଓ ଦାୟିଦ ସଂଘର ସଦସ୍ୟ ମାନେ ସାମୁହିକ ମାଲ୍ୟାର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ