ସମ୍ବଲପୁର, ୦୩ ଅକ୍ଟୋବର(ହି.ସ.) – ଆଜି ପୂବାହ୍ନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ଯୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ଉତରାଂଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ କ୍ଷତ୍ରି ପ୍ରମୁଖଙ୍କ ଗରିମାମୟ ଉପସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ହୀରାକୁଦ ଠାରେ ମତ୍ସ୍ୟ ବିଭାଗର ନୂତନ ସାଧାରଣ ସୁବିଧା କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ଯୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁଭ ଉଦଘାଟନ ଉତ୍ସବରେ ଯୋଗ ଦେଇ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀଙ୍କ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ରହିଛି ବୋଲି ସୂଚନା ଦେଇଥିଲେ। ସରକାରୀ ଯୋଜନାର ଉପଯୁକ୍ତ ଉପଯୋଗ କରି ମାଛଚାଷକୁ କିପରି ଦ୍ୱିଗଣିତ କରି, ଆୟ ବୃଦ୍ଧି କରିବା ସେ ଦିଗରେ ପ୍ରୟାସ କରିବା ପାଇଁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଆହ୍ୱାନ ଦେଇଥିଲେ। ମାଛ ଚାଷରେ ସ୍ୱାବଲମ୍ବୀ ହୁଅ ଓ ଆତ୍ମ ନିର୍ଭର ହେବା ପାଇଁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ମାଛ ଚାଷ ନିମନ୍ତେ ନୂଆ ପୋଖରୀ ଖୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ହେକ୍ଟର ପିଛା ୧୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତରେ ମିଶ୍ରିତ ଚାଷ ଇଂଟିଗ୍ରେଟେଡ୍ ଫାର୍ମିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୨ ଲକ୍ଷ ୩୦ ହଜାର ଟଙ୍କା, ପ୍ରାୟ ୧ ଲକ୍ଷ ୬୧ ହଜାର ଟଙ୍କା ସବସିଡି ପ୍ରଦାନ କରାଯାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ଗାଁମାନଙ୍କର ପୁରୁଣା ପୋଖରୀରେ ମଧ୍ୟ ମାଛ ଚାଷ କରିବାକୁ ସବୁପ୍ରକାର ସହାୟତା ରାଶି ପ୍ରଦାନ କରାଯାଉଛି। ସମାଜ ର ସବୁବର୍ଗର ଲୋକଙ୍କ ପାଖରେ ସରକାରଙ୍କ ଯୋଜନା କିପରି ପହଂଚି ପାରିବ, କିପରି ସେମାନେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ପାଇଁ ଆମ ସରକାର ପ୍ରତିଶୃତି ବଦ୍ଧ। ପ୍ରାଥମିକ ମତ୍ସ୍ୟଜୀବୀ ରେ ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ଦିଆଯାଉଛି। ଆଗାମୀ ଦିନରେ ମାଛ ଉତ୍ପାଦନକୁ ବୃଦ୍ଧି କରିବାପାଇଁ ସମସ୍ତ ରିଜର୍ଭୟରରେ ମାଛ ଛଡାଯିବ।ସମ୍ବଲପୁର ଜିଲ୍ଲାରେ ପ୍ରତ୍ଯେକ ପଂଚାୟତରେ ମାଛ ଚାଷକୁ ବୃଦ୍ଧି କରିବା ପାଇଁ ଲକ୍ଷ ନିର୍ଦ୍ଧାର କରନ୍ତୁ , ସେଥିପାଇଁ, ଯାହା ଯାହା ସହାୟତା ଦରକାର ସେସବୁ ଯୋଗାଇ ଦେବାକୁ ପ୍ରଶାସନକୁ କହିଥିଲେ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଉଦଘାଟନ ଉତ୍ସବରେ ଯୋଗଦେଇ ମତ୍ସ୍ୟ ବିଭାଗର ୭କୋଟି ଟଙ୍କା ବ୍ୟୟ ରେ ୩୭ ଏକର ଜାଗା ପରିଧିରେ କେଜ କଲଚର କରାଯାଇଛି ବୋଲି ସୂଚନା ଦେଇଥିଲେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼କୁ ନେଇ ହୀରାକୁଦରୁ ପ୍ରାୟ ୮୦ ହଜାର ମେଟ୍ରିକ ଟନ୍ର ମାଛ ବାହାରୁଛି, ଯାହା ପ୍ରାୟ ୮୦୦ କୋଟି ଟଙ୍କାର ବ୍ୟବସାୟ ପ୍ରଦାନ କରୁଛି। ଓଡ଼ିଶା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ରେ ସମ୍ବଲପୁର ଜିଲ୍ଲା ତୃତୀୟ ସ୍ଥାନ ରେ ଅଛି। ଆଜିର ଏହି କେଜ କଲଚରରୁ ୩୦ହଜାର ମେଟ୍ରିକ ଟନ ର ମାଛ ଉତ୍ପାଦନ ହେବ ଯାହା ୩୦୦ କୋଟି ଟଙ୍କାର ମାଛ ବ୍ଯବସାୟ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଆଇସି ଫ୍ୟାକ୍ଟରି ନିର୍ମାଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ମତ୍ସ୍ୟଜୀବିମାନଙ୍କୁ ଉପଯୁକ୍ତ ବଜାର ବ୍ୟବସ୍ତା ପ୍ରଦାନ କରାଯାଉ। ହୀରାକୁଦର ଅବବାହିକରେ ମତ୍ସ୍ୟ ପାଳନ କଲେଜ ନିର୍ମାଣ କରିବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଚାଷ ଓ ଚାଷୀ ର ସମୃଦ୍ଧ ହେଲେ ଯାଇ ଆମ ଅଂଚଳର ଉନ୍ନତି ହେବ ବୋଲି ସେ କହିଥିଲେ। ସୂଚନା ଅନୁଯାୟୀ ସ୍ୱୟଂସହାୟକ ଗୋଷ୍ଠୀ ଡବ୍ଲୁଏସ୍ଏଚଜି ଓ କୃଷି, ମାଛଚାଷ ଓ ଜୀବିକାମୂଳକ କାର୍ଯ୍ୟରେ ନାଗରିକଙ୍କ ସ୍ୱାବଳମ୍ବନ ସୃଷ୍ଟି ପାଇଁ ବିଭିନ୍ନ ଯୋଜନାରେ ଅଧୀନରେ କୁଚିଣ୍ଡା ବ୍ଲକ ର ଜୀବନ ଜ୍ୟୋତି ଏସ୍ଏଚଜିଙ୍କୁ ଇନପୁଟ୍ ସହାୟତା ଡବ୍ଲୁଏସ୍ଏଚଜି ଯୋଜନାରୁ ୭,୩୧,୫୦୦ ଟଙ୍କା, ଜୁଜମୁରା ବ୍ଲକର ଗୋପାଳ ଭୋଇଙ୍କୁ ନେଟୱର୍କ ଅଫ୍ ସିଡ୍ ଗ୍ରୋୱର ଯୋଜନାରେ ୫୦ ହଜାର ଟଙ୍କା ସହାୟତା, ଜମନକିରା ବ୍ଲକର ଟୁନି ସାହୁଙ୍କୁ ବାୟୋଫ୍ଲକ୍ ଯୋଜନାରେ ୨,୭୦, ୦୦୦ ଟଙ୍କା, ନାକଟିଦେଉଳ ବ୍ଲକର ମନୋରମା ସାହୁଙ୍କୁ ଏମପିୱାଇ- ୧ ଯୋଜନାରେ ୧,୭୫,୦୦୦ ଟଙ୍କା, ରେଢାଖୋଲ ବ୍ଲକ ର ଗିତାଞ୍ଜଳି ଷଣ୍ଢଙ୍କୁ ଗଚଣ-୨ ଯୋଜନାରେ ୧୨୦୦୦୦ ଟଙ୍କା, ଧନକୌଡ଼ା ବ୍ଲକର ଅମର ଦହାନଗାଙ୍କୁ ମାଛଚାଷ ଯନ୍ତ୍ରପାତି ଯୋଜନାରେ ୨୦୦୦୦ ଟଙ୍କା ସବସିଡି ସହାୟତା ରାଶି ପ୍ରଦାନ କରାଗଲା। ଏତତ ବ୍ୟତୀତ ଯୁଜୁମୁରା ବ୍ଲକର ନୃପ ଶେଖର କୁମୁରା, ବାମରା ବ୍ଲକର ଦୀପାଞ୍ଜଳି ମନୋହରୀ, ମାନେଶ୍ୱର ବ୍ଲକ ର ଶୈଳଲତା ସାହୁ, କୁଚିଣ୍ଡା ସୁଜାତା ପଟେଲ, ଜମନକିରା ବ୍ଲକ ର ଲକ୍ଷ୍ମୀ ଦାସ, ନାକଟିଦେଉଳ ପୁପୁଲିନ ସାହୁ, ରେଢାଖୋଲ ର ରଞ୍ଜୀତ କୁମାର ନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କୃଷକ ଉନ୍ନତି ଯୋଜନା ଅଧୀନରେ ଗୋ-ଆହେଡ୍ ଅନୁମୋଦନ ଦିଆଗଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ