କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ କାର୍ୟ୍ୟରତ “ସିମ୍ଫୋନି” ପକ୍ଷରୁ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । “ଦଶ’ରା ଦରବାର -ସଜ କବିତା ଓ ଗଜୁରା ଗପର ” ଶୀର୍ଷକ ଏହି ସ୍ୱତନ୍ତ୍ର ସାରସତ୍ୱ ଉତ୍ସବରେ ଉଭୟ ନବ ପ୍ରଜନ୍ମର ଯୁବ ସୃଜନ ସ୍ରଷ୍ଠାଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବୀଣ ଓ ବରିଷ୍ଠ ସାହିତ୍ୟିକମାନେ ଏକାଠି ହୋଇଥିଲେ । ଅଧ୍ୟାପକ ଡ଼.ଗିରିଜା ଶଙ୍କର ଦାସଙ୍କ ସଂଚାଳନାରେ ଗାଳ୍ପିକା ଲିଜା ପଣ୍ଡା,କବିତା ମୁଦୁଲି ପ୍ରମୁଖ ଗଳ୍ପ ପାଠ କରିଥିଲେ । ସେହିପରି ରଞ୍ଜନ କୁମାର ବାଇ, ଅଜୟ କୁମାର ପାତ୍ର, ପୂଜାଶ୍ରୀ ସେଠୀ, ଗୋଲାପ ରାଉତ, ଶୁଭାଂଶୁ କୁମାର ଦାସ, ଶ୍ରୀଧର ମହାନ୍ତି ପ୍ରମୁଖ କବିତା ପାଠ କରିଥିବାବେଳେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ନିରଞ୍ଜନ ମେକାପ୍ ଶାରଦୀୟ ଅବକାଶ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ । ଏହା ପରେ ସିମ୍ଫୋନିର ସମ୍ପାଦକ ଅଧ୍ୟାପକ ଡ଼. ବିନାୟକ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଶାରଦୀୟ ସାହିତ୍ୟି ସମ୍ପର୍କିତ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ରୂପେ ଯୋଗ ଦେଇ ବିଶିଷ୍ଟ କବି ତଥା ଅଧ୍ୟାପକ ବୃନ୍ଦାବନ ଦାସ, ସାହିତ୍ୟିକ ଅଲେଖ ଚନ୍ଦ୍ର ଦାସ ଶାରଦୀୟ ସାହିତ୍ୟ ଓ ପାଠକୀୟ ସଙ୍କଟ ସମ୍ପର୍କିତ ସେମାନଙ୍କ ମତ ଉପସ୍ଥାପିତ କରିଥିଲେ । ଉକ୍ତ ଆସରରେ ନିଜ ଜୀବନ କାଳର ଦୀର୍ଘ ଚାରିଦଶନ୍ଧି ଓଡ଼ିଆ ସାହିତ୍ୟର ଉଭୟ ସୃଜନ ଓ ସାଙ୍ଗଠନିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ବର୍ଷିଆନ୍ ସୁସାହିତ୍ୟିକ ଓ ଅନୁବାଦକ ସୁରେନ୍ଦ୍ର ପଳେଇଙ୍କୁ ସାଲ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବକୁ ସିମ୍ଫୋନିର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପରିଚାଳନା କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟକ ବାବାଜୀ ଚରଣ ପ୍ରତିହାରୀ, କେମ୍ର ସମ୍ପାଦକ ଏମ୍ଡି ଜାହିଦ୍ ଖାନ୍, ସରୋଜକାନ୍ତ ସାହୁ,ରାଜେନ୍ଦ୍ର ମହାପାତ୍ର,କ୍ଷୀରୋଦ କୁମାର କର ଓ ଜାଗରୂକ ସାହିତ୍ୟ ପ୍ରତିଷ୍ଠାନର ସଭାପତି ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସିମ୍ଫୋନିର କୋଷାଧକ୍ଷ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି