ଜୟପୁର, ୦୩ ଅକ୍ଟୋବର(ହି.ସ.) – ଗୁପ୍ତେଶ୍ୱର ଶୈବପୀଠର ପ୍ରଥମ ପୁଜକ ସ୍ୱର୍ଗତ ନରସିଂହ ଦାଶଙ୍କ ପୁତ୍ର ଶ୍ରୀ ଗଣେଶ୍ୱର ଦାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଶ୍ରୀ ଦାଶ ଜୟପୁର ପାଇଲ ସାହିର ବାସିନ୍ଦା ଦୀର୍ଘ ବର୍ଷ ଧରି ସେ ଗୋଡ଼ିଆ ଧୋବା ସାହି ଓ ସୌରା ସାହିର ଯୁବକମାନଙ୍କୁ ସାଧନ ଶିକ୍ଷା ଦେବା ସହିତ ନାଟକ ଶିକ୍ଷା ଦେଇଥିଲେ। ତେଣୁ ସେ ସାଧନ ଗୁରୁ ଓ ନାଟ ଗୁରୁଙ୍କ ସହିତ ଗୋସେଇଁ ମାପୁରୁ ନାମରେ ବେଶ୍ ପରିଚିତ। ସେ ଜଣେ ବିଶିଷ୍ଟ ସମାଜସେବୀ ସହିତ ବରିଷ୍ଠ କଂଗ୍ରେସ କର୍ମି ଥିଲେ। ପୂର୍ବତନ ଅର୍ଥ ଓ ଆଇନ ମନ୍ତ୍ରୀ ଶ୍ରୀ ରଘୁନାଥ ପଟ୍ଟନାୟକଙ୍କ ଅନ୍ତରଙ୍ଗ ବନ୍ଧୁ ସେ ଜଣେ ଷ୍ପଷ୍ଟବାଦି, ନିଃସ୍ୱାର୍ଥପର ଓ ନିଷ୍ଠାପର ଥିବା ଯୋଗୁଁ ରଘୁନାଥ ପଟ୍ଟନାୟକ ସମେତ ବହୁ କଂଗ୍ରେସ ନେତା ତାଙ୍କୁ ଗୋସେଇଁ ବୋଲି ସମ୍ବୋଧନ କରୁଥିଲେ। ସେ ବିଧାନସଭା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପାଇଁ ବହୁତ କାମ କରିଥିବାର ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ରଣା ସମାଜର ଗୁରୁ ଥିଲେ ଶ୍ରୀ ଦାଶ। ସେ ତା ୦୨.୧୦.୨୦୨୫ ରିଖ ଦିନ ୧୦ ଘଟିକା ସମୟରେ କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ପୁଜାରୀ ପୁଟ ତାଙ୍କ ଚାଷ ଗାଁ ଠାରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସେ ଜଣେ ଜମିଦାର ଥିଲେ।
ତାଙ୍କ ବିୟୋଗରେ ବହୁ କଂଗ୍ରେସ ନେତା ଓ କର୍ମୀ ଶୋକ ପ୍ରକାଶ କରିବା ସହିତ ସବୁ ଦଳର ନେତା ଓ କର୍ମୀ ତାଙ୍କର ଶବ ଦାହ କରିବା ସମୟରେ ଉପସ୍ଥିତ ଥିଲେ। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଧା ବିନୋଦ ସାମନ୍ତରାୟ, କଂଗ୍ରେସ ନେତା ଶ୍ରୀ ମନୋଜ ପାତ୍ର, ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଭାକର ମୀଶ୍ର , ବିଜେଡି ବରିଷ୍ଠ ନେତା ଶ୍ରୀ ବୃନ୍ଦାବନ ମଲ୍ଲିକ ଓ ସମାଜ ସେବୀ ଶ୍ରୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମି, ନେତା, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିବା ଶ୍ରୀ ଶଶୀଭୂଷଣ ଦାଶ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି