
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ-ବାଲେଶ୍ୱର ଓ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ସୋରୋ ଡିଭିଜନର ରାଜ୍ୟ ରାଜପଥଟିର ସ୍ୱତନ୍ତ୍ର ମରାମତି କାମରେ ଘୋର ଅନିୟମିତତା ଦେଖାଦେଇଛି। ଏହା ଏକ ଟେଣ୍ଡର କାମ ହୋଇଥିବାବେଳେ ଏସ.ଇ. ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସିଂହ, ଜିତେନ୍ଦ୍ର କୁମାର ମହାଳିକ, ମେଘନାଦ ମଲିକ, ଏସ୍ଡିଓ ଓ ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀନିବାସ ଜେନା ତଦାରଖ କରୁଛନ୍ତି। ଏହି କାର୍ଯ୍ୟଟି ତୁରନ୍ତ ଶେଷ କରିବାକୁ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ନିର୍ଦ୍ଦେଶ ଦେଇଥିବାବେଳେ ଏହା ମନ୍ଥର ଗତିରେ ଚାଲିଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଭଦ୍ରକ-ବାଲେଶ୍ୱର ଓ କେନ୍ଦୁଝର ଜିଲାର ବହୁ ଭାରିଯାନ ଚାଲୁଛି। ଶାରୀ ଶୁଆ ପାହାଡର ଚିପ୍ସ ଗାଡି ରାତିଦିନ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଯିବାଆସିବା କରିବା ଫଳରେ ରାସ୍ତାଟି ଅଳ୍ପଦିନରେ ନଷ୍ଟ ହୋଇଯାଉଛି। ଗୋଟିଏ ପଟେ କାର୍ଯ୍ୟର ବିଳମ୍ବ ଯୋଗୁଁ ଏହି ରାସ୍ତା ଦେଇ ବହୁ ଭାରି ଯାନ ଯିବା ଫଳରେ ରାସ୍ତାଟି ସଂପୂର୍ଣ୍ଣ ମରାମତି ହୋଇପାରୁନାହିଁ। ଅନନ୍ତପୁରରୁ ସୋରୋ କୁପାରୀ ଦେଇ ଯାଇଥିବା ଏହି ରାଜ୍ୟ ରାଜପଥର ମରାମତି କାମର ଅନିୟମିତତାକୁ ଖଣ୍ଡନ କରିଛନ୍ତି ଏସ୍ଡିଓ ଶ୍ରୀ ଜେନା। ଅପରପକ୍ଷରେ ସ୍ଥାନୀୟ ଲୋକେ ଯଥାଶୀଘ୍ର ଏହି ରାସ୍ତାର ଟେଣ୍ଡର କାମ ସଂପୂର୍ଣ୍ଣ କରିବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ