
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ। ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିବାବେଳେ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଦିବସରେ ହୋଇଥିବା ମାରାଥନ ଦୌଡ ଯୁବପିଢି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ସିଷ୍ଟାଚାର ସହ ଶାରୀରିକ ସ୍ୱାସ୍ଥ୍ୟର ସଚେତନତା ସୃଷ୍ଟି କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ନିଜ ବକ୍ତବ୍ୟରେ କହିଛନ୍ତି। ଆଜି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ମାରାଥନ ଦୌଡର ଆୟୋଜନ ହୋଇଥିଲା। ସକାଳ ପ୍ରାୟ ୭ଟାରେ ଜିଲା ପୁଲିସ୍ କାର୍ଯ୍ୟାଳୟ ଠାରୁ ଏହି ମାରାଥନ ଦୌଡ ଆରମ୍ଭ ହୋଇ ଚରମ୍ପା ସ୍ଥିତ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏହାକୁ ଜିଲାପାଳ ଶ୍ରୀ ରାଉତରାଏ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଉଦ୍ଘାଟନ କରିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଜିଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ପୁଲିସ୍ କର୍ମଚାରୀ ଓ ସ୍ଥାନୀୟ ନାଗରିକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାବେଳେ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକରାତ୍ମକ ସନ୍ଦେଶ ସୃଷ୍ଟି ହେବ ବୋଲି କହିଥିଲେ। ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସମ୍ବିତ ସ୍ୱରୂପ ବେହେରା, ଅତିରିକ୍ତ ଡିଆଇବି ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ସିଟି ଡିଏସ୍ପି ସମ୍ବିତ ମାଝୀ, ସହରାଂଚଳ ଥାନାଧିକାରୀ ଶୁଭ୍ରାଂଶୁ ମିଶ୍ର, ପୁରୁଣାବଜାର ଥାନାଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ