
Bhubaneswar, 31 ଅକ୍ଟୋବର (ହି.ସ.)
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ, ପଞ୍ଚାୟତକୁ ଟଙ୍କା ଆସୁନି, ରାଜ୍ୟରେ ଚାଲିଥିବା ଉନ୍ନୟନମୂଳକ କାମ ବନ୍ଦ ହୋଇଯାଇଛି । ନୂଆପଡ଼ା ସମେତ ସାରା ରାଜ୍ୟରେ ମହିଳା ସଶକ୍ତିକରଣ, ଆଦିବାସୀ କଲ୍ୟାଣ, ଆଜି ଇତିହାସ ପାଲଟି ଯାଇଛି । ନବୀନ ବାବୁଙ୍କ ନେତୃତ୍ୱରେ, ମୁଁ ନୂଆପଡ଼ା ବାସୀଙ୍କ ସ୍ୱର ସାଜିବି, ପୂର୍ବ ଥର ଭଳି ଏଥର ମଧ୍ୟ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ ବୋଲି ଅପିଲ କରିଛନ୍ତି ବିଜେଡିର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ । ଶୁକ୍ରବାର ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଘମାଘୋଟ ପ୍ରଚାର କରି ଜନତାଙ୍କୁ ଏହି ନିର୍ଭର ଆଶ୍ୱାସନା ଦେଇଛନ୍ତି ଶ୍ରୀମତୀ ଛୁରିଆ ।
ଆଜି ସକାଳୁ ଶ୍ରୀମତୀ ଛୁରିଆ ନିର୍ବାଚନ ବାଇକ୍ ରାଲି ଓ ରୋଡ ଶୋ ମାଧ୍ୟମରେ ପ୍ରଚାର ଆରମ୍ଭ କରି ଦର୍ଲିମୁଣ୍ଡ ସ୍ଥିତ ବିଜୁ ଏକ୍ସପ୍ରେସୱେ, ସହିପାଲ ସାପ୍ତାହିକ ହାଟ, ଖାଇରଣି ଗ୍ରାମ, କୋଟେନଚୁଅାଁ, ଭରୁଆମୁଣ୍ଡା ହାଟପଦା, ଧରମବନ୍ଧ ମାଟି ଘର ଦୁର୍ଗାମଣ୍ଡପ ଏବଂ ଖୁଟବେନ୍ ଭୀରା ପାଟୋରା ଚକରେ ଆୟୋଜିତ ଜନସମ୍ପର୍କ ପଦ ଯାତ୍ରାରେ ଯୋଗ ଦେଇ ଲୋକଙ୍କ ଆଶୀର୍ବାଦ କାମନା କରିଥିଲେ । ସବୁ ସ୍ଥାନରେ ଶ୍ରୀମତୀ ଛୁରିଆଙ୍କୁ ଭରପୁର ସମର୍ଥନ ଓ ଅତୁଟ ବିଶ୍ୱାସର ଆଶ୍ୱାସନା ମିଳିଥିଲା । ଲୋକେ ପାରମ୍ପରିକ ବାଦ୍ୟ ବଜାଇ ତାଙ୍କୁ ସ୍ୱାଗତ କରିଥିଲେ । ନୂଆପଡାରେ ମହିଳା ସଶକ୍ତିକରଣ, ଏସଏଚଜିକୁ ଆହୁରି ମଜଭୁତ କରିବା, ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଉଦ୍ୟମ କରିବେ ବୋଲି ଶ୍ରୀମତୀ ଛୁରିଆ କହିଥିଲେ ।
ଶ୍ରୀମତୀ ଛୁରିଆଙ୍କ ସହ ନିର୍ବାଚନ ପ୍ରଚାର କରି ଜନସଭାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ରାଜୁ ଭାଇ ଯେପରି ନୂଆପଡ଼ାର ବିକାଶ ପାଇଁ ଲଢେଇ କରୁଥିଲେ ତାହା ଆଗକୁ ବି ଜାରି ରହିବ । ପୁଣି ଥରେ ବିଜେଡିକୁ ଆଶୀର୍ବାଦ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ଝିନ୍ନ ହିକକା, ଲତିକା ପ୍ରଧାନ, ବିଧାୟିକା ବର୍ଷା ସିଂ ବରିହା, ରଘୁରାମ ପୋଡ଼ାଲ, ମାନସ ମାଡ଼କାମି, ସଂଜିତ୍ ମହାନ୍ତି, ପ୍ରମୋଦ ପାଢ଼ୀ, ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ନବୀନ ବାବୁଙ୍କ ଉନ୍ନୟନମୂଳକ କାମକୁ ସ୍ୱୀକୃତି ଦେଇ ବିଜେଡିକୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଥିଲେ । ସବୁ ଜନସଭାରେ ବହୁ ସଂଖ୍ୟାରେ ମହିଳା, ଯୁବ ଓ ଆଦିବାସୀ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା