
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଧାମରା ପିଏମଶ୍ରୀ ଧାମରାଇ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାନ୍ଦବାଲି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ସଭାପତି ଆସନ ଅଲଙ୍କୃତ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ସଭାପତିତ୍ୱ କରିଥିଲେ। ସିଆରସିସି ରଣଜିତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ କାର୍ତିକେଶ୍ୱର ରାଉଳ, ମୁଖ୍ୟ ବକ୍ତା ଭାବେ ଆଦାନୀ ଧାମରା ବନ୍ଦର ସିଏସଆର ମୁଖ୍ୟ ଦେବାଶିକ୍ଷ ମୁଖାର୍ଜୀ,ସମ୍ମାନୀତ ଅତିଥି ଭାବେ ଧାମରା ପଂଚାୟତର ସମିତିସଭ୍ୟ ପାପା ଜେନା, ସହ ଶିକ୍ଷାଧିକାରିଣୀ ଅନିତା ମିଶ୍ର, ତ୍ରିପୁରା ପଲେଇ,ସିଆରସିସି ରଣଜିତ ଜେନା, ତ୍ରିଲୋଚନ ମହାଳିକ, ଶିକ୍ଷାବିତ ପ୍ରଭାତ କୁମାର ପାଣିଗ୍ରାହୀ, ରେବତୀକାନ୍ତ ବେହେରା, ଅନିଲ କୁମାର ମିଶ୍ର, ସୁଶାନ୍ତ କୁମାର ମଲିକ ପ୍ରମୁଖ ମଂଚାସୀନ ଥିଲେ। ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ନିଜ ନିଜ ବକ୍ତବ୍ୟରେ ଧାମରା ଭଳି ଅଂଚଳରେ ବହୁ ଦିନ ପରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଶ୍ରେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକଙ୍କୁ ଦେଇଥିଲେ। ସମୟର ସଦୁପଯୋଗ ଏବଂ ସୁବିନିଯୋଗ କରି ପାରିଲେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିପାରିବେ ବୋଲି ବକ୍ତବ୍ୟ ରଖିଥିଲେ। ୨୦୨୦ ଜାତୀୟ ଶିକ୍ଷାନୀତିରେ କିପରି ସଂସ୍କୃତି କୁ ବଜାଇ ରଖିବାର ପ୍ରୟାଶ ଏବଂ ଅର୍ନ୍ତନିହିତ ଗୁଣାବଳୀର ପରିପ୍ରକାଶ ହେବାକୁ ଏହି ଶିକ୍ଷାନୀତି ପ୍ରଣୟନ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ। ଆଜି ହୋଇଥିବା ଏହି ସୁରଭି କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକରେ ଥିବା୧୯ଟି କ୍ଲଷ୍ଟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଯେଉଁ ମାନେ ପ୍ରଥମ ସ୍ଥାନ ଗ୍ରହଣ କରିବେ ସେମାନଙ୍କୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଏବଂ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ। ସୁରଭି କାର୍ଯ୍ୟକ୍ରମ ସକାଳ ୧୦ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ