
କନ୍ଧମାଳ , ୩୧ ଅକ୍ଟୋବର (ହି.ସ.) - ୨୭ ଅକ୍ଟୋବର ରୁ ୨ ନଭେମ୍ବର ପର୍ଯ୍ୟନ୍ତ ପାଳନ ହେଉଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ଉପଲକ୍ଷେ ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ତ୍ତା “ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ଵ” ଉପରେ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ନରେନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ଶ୍ରୀ କୃପାସିନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ(ଦୁର୍ନୀତି ନିବାରଣ) ଶ୍ରୀ ଭି. ଭି ରାମଦାଶ ଓ ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଦୁର୍ନୀତି ନିବାରଣ ପାଇଁ ଆଇନରେ ଥିବା ବିଭିନ୍ନ ଅପରାଧ ଓ ଦଣ୍ଡବିଧାନ ଉପରେ ଆଲୋଚନା କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ପ୍ରବୀଣ ବାଣୁଆ ସାଧୁତାର ଶପଥ ପାଠ କରାଇଥିଲେ । ଏହି ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ-ତଥା- ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପ-ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ),ଫୁଲବାଣୀ ଶ୍ରୀମତୀ କୁମୁଦିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ସ୍ଵୟମ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ