







ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) - ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତ କରିବା ଓ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ହିଁ ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଏକତା ଗଣଦୌଡ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେରେ ସମୂହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଆଜିର ଗଣଦୌଡ ସିଏସବି ଜିଲ୍ଲା ସ୍କୁଲରୁ ଗୋଲବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ କ୍ଷେତ୍ରୀ , ପ୍ରୋବେସନର୍ ଆଇଏଏସ୍ ଶୁଭ୍ରା ପଣ୍ଡା ପତାକା ଦେଖାଇ ଆୟୋଜିତ ଗଣଦୌଡର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏକ ଭାରତ- ଆତ୍ମନିର୍ଭର ଭାରତ ଉପରେ ଆଧାରିତ ଏହି ଗଣଦୌଡ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାରଧାରା ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅଖଣ୍ଡତା ଓ ଏକତାର ସଚେତନତା ବାର୍ତା ସୃଷ୍ଟି କରିଥିଲା । ଜିଲ୍ଲାପାଳ ଶ୍ରୀ ବୋନ୍ଦର (ଭା.ପ୍ର.ସେ) ଏକତା ଗଣଦୌଡରେ ଯୋଗଦେଇ ସମସ୍ତଙ୍କୁ ଏକତ୍ର ହୋଇ ଏକ ଭାରତ-ଆତ୍ମନିର୍ଭର ଭାରତ ନିର୍ମାଣରେ ସାମିଲ ହେବା ପାଇଁ ଉଦବୋଧନ ଦେଇଥିଲେ।
ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ ଅବସରରେ ଜାତୀୟ ଏକତା ଦିବସର ଭାବନାକୁ ଉଜ୍ଜ୍ୱଳ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ସୂଚନା ଅନୁଯାୟୀ ଆଗାମୀ ଦିନରେ ସମ୍ବଲପୁର ସଦର ଏବଂ କୁଚିଣ୍ଡାରେ ଏକତା ପଦଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଧାରଣ ସମାବେଶ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲୁଛି । ଏହି ଏକତା ପଦଯାତ୍ରା ମାଧ୍ୟମରେ ଅଂଶଗ୍ରହଣକାରୀ ଏକ ଭାରତ, ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୱରେ ଜାତୀୟ ବାର୍ତା ପ୍ରସାର କରାଯିବ । ପଦଯାତ୍ରା ଏକ ସାଧାରଣ ସମାବେଶରେ ଶେଷ ହେବ । ଯେଉଁଠାରେ ସମ୍ବଲପୁର ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଉକ୍ତ ପଦଯାତ୍ରାରେ ପ୍ରାୟ ୧୦୦୦ ରୁ ୧୫୦୦ ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତି ନିଆଯାଇଛି । ଏକତା ଦିବସ ପାଳନ ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ ଉଦ୍ୟମ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ଓ ଅବଦାନକୁ ଉଦ୍ଧାର କରୁଥିବା କାର୍ଯ୍ୟକ୍ରମ , ସାମାଜିକ ସଚେତନତା ଅଭିଯାନ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦି ମଧ୍ୟ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସମସ୍ତ ପଦାଧିକାରୀଙ୍କ ସହ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ