
ବାରିପଦା, 31 ଅକ୍ଟୋବର (ହି.ସ.) - ପବିତ୍ର ଅଁଳା ନବମୀ ଅବସରରେ ରାଧାପାଦ ଦର୍ଶନ କରିବା ପାଇଁ ରାଧାମୋହନ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀକୁ ନେଇ ରାଧାମୋହନ ମନ୍ଦିର ଠାରେ ଶୁକ୍ରବାର ପ୍ରାତଃ ରୁ ଶ୍ରଦ୍ଧାଳୁମାନଙ୍କ ପୂଜାର୍ଚ୍ଚନା ନିମନ୍ତେ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ଆଜିଠାରୁ କାର୍ତ୍ତିକ ବ୍ରତ ପାଳନ ଆରମ୍ଭ କରିଛନ୍ତି। କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ପଡିଥାଏ। ଭକ୍ତ ମାନେ ଏହି ଅବସରରେ ଅଁଳା ଗଛକୁ ପୂଜା ଅର୍ଚ୍ଚନା କରିଥାନ୍ତି। ରାଧାମୋହନ ମନ୍ଦିରରେ ବର୍ଷ ସାରା ଶ୍ରୀରାଧାଙ୍କ ପାଦପଦ୍ମ ପିନ୍ଧା ବସ୍ତ୍ର ଦ୍ଵାରା ଆବୃତ ହେଇଥାଏ। କେବଳ ବର୍ଷରେ ଆଜିର ଦିନରେ ଠାକୁରାଣୀ ଓଡ଼ିଆଣୀ ବେଶ ହୋଇ ଭକ୍ତମାନଙ୍କୁ ପାଦପଦ୍ମ ଦର୍ଶନ ଦେଇଥାନ୍ତି ବୋଲି ପରମ୍ପରା ରହିଛି। ତେଣୁ ଆଜିର ଦିନରେ ଶ୍ରୀ ରାଧାଙ୍କ ପାଦପଦ୍ମ ଦର୍ଶନ ନିମନ୍ତେ ଭକ୍ତମାନେ ଅପେକ୍ଷାରେ ରହିଥାନ୍ତି। ଅଁଳା ନବମୀରେ ଭକ୍ତମାନେ ଉପବାସ ରହି ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜା କରିଛନ୍ତି। ଅଁଳା ନବମୀ ପାଇଁ ମନ୍ଦିରରେ ମଧ୍ୟ ସତନ୍ତ୍ର ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହେବା ସାଙ୍ଗକୁ ଭକ୍ତମାନେ ରାଧା ପାଦ ଦର୍ଶନ ପୂର୍ବକ ଆଶିଷ ଲାଭ କରିଥାଆନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ