
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ୨୦୨୫-୨୬ ଆର୍ôଥକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଖୋଲାଯିବ । ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ହୋଇଥିବ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେମାନେ ଏଥିରେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେଉଁ ମହିଳାମାନେ ଗତ ଆର୍ôଥକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନାଦେୟରେ ସୁଭଦ୍ରା ଆବେଦନ ପତ୍ର ଉପଲବ୍ଧ ହେବ। ଏତଦ୍ ବ୍ୟତୀତ ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ କରାଯାଇପାରିବ । ଏଥି ପାଇଁ ନିଜର ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ପ୍ରଦାନ କରି ଜଣେ ହିତାଧିକାରୀ ଆବେଦନ କରିପାରିବେ। ସୁଭଦ୍ରା ନିୟମାବଳୀ ଅନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ ଦୁଇଟି କିସ୍ତି ପ୍ରଦାନ କରାଯିବ ଏବଂ ଯଦି ସେମାନଙ୍କ ଯୋଗ୍ୟତା ବଜାୟ ରହେ ପରବର୍ତୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସୁବିଧା ମିଳିବ ।
ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାଶ ସରକାରଙ୍କର ବିଭିନ୍ନ ଯୋଜନାରେ ଅବଗତ ହୋଇ ହିତାଧିକାରୀମାନେ ସେମାନଙ୍କର ସୁବିଧାର ଲାଭ ନେବାକୁ କହିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ, ବିଏମ୍ସି କମିଶନର ଶ୍ରୀ ଚଞ୍ଜଲ ରାଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ସୁଭଦ୍ରା ଯୋଜନାର ହିତାଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା