ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ଅଧ୍ୟକ୍ଷତା କରିଥିଲେ | ବିଗତ ରାଜ୍ୟ ସରକାର ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ପରମ୍ପରା, ଦେବାଦେବୀ ପୀଠର ସୁରକ୍ଷା ସଂରକ୍ଷଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ କିନ୍ତୁ ଏବର ବିଜେପି ସରକାର ତାହାକୁ ଗୋଟି ଗୋଟି କରି ବନ୍ଦ କରୁଛନ୍ତି | ଅନ୍ଵେଷା ଯୋଜନାକୁ ବନ୍ଦ କରିଦେଲେ,ଏସ. ଡି. ସି. କୁ ବନ୍ଦ କରିଦେଲେ,ଏ. ଏନ. ଏମ, ଜି. ଏନ. ଏମ ପାଠ୍ୟକ୍ରମର ଷ୍ଟ|ଇପେଣ୍ଡ ବନ୍ଦ କରିଦେଇ ଥିବାରୁ ରାଜ୍ୟ ସରକାରକୁ ନିନ୍ଦା କରାଯାଇଥିଲା | ରାଜ୍ୟରେ ବିଜେପି ସରକାର ଜଣେ ଆଦିବାସୀକୁ ମୁଖ୍ୟମନ୍ତ୍ରୀ କରି ରାଜ୍ୟର ଖଣି ଖାଦାନ ନିଲାମ ଦେବାରେ ବ୍ୟସ୍ତ, ଆଦିବାସୀଙ୍କୁ ସର୍ବହରା କରିବା ପାଇଁ ରାଜ୍ୟରେ ଆହୁରି ବନ୍ଦ ଥିବା ୭୦ ଗୋଟି ମଦ କମ୍ପାନୀ ଖୋଲିବ, ବିକାଶ ନାଁ ରେ ଆଦିବାସୀ ମାନଙ୍କୁ ବିସ୍ଥାପିତ କରୁଛି, ହରିଶଙ୍କର ଗନ୍ଧମାର୍ଦନ ପର୍ବତକୁ ଆଦାନୀ ହାତରେ ଟେକି ଦେବାକୁ ଯୋଜନା ଚଳେଇଛି, ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକକୁ ତାମିଲନାଡୁର ଏକ ଘରୋଇ କମ୍ପାନୀ ହାତରେ ନିଲାମ ଦେଇଛି, ଲୋୟର ଶୁକତେଲ ଡେମ ଗର୍ଭରେ ଥିବା କୁମିଆପାଲିର ଶହେ ଆଦିବାସୀ ପରିବାରକୁ ଉଚିତ କ୍ଷତିପୂରଣ ନଦେଇ ଥଇଥାନ ମଧ୍ୟ କରିନାହିଁ ସେମାନେ ଆଜି ପାଣି ଘେରରେ ସଂଘର୍ଷ କରୁଛନ୍ତି | ରାଜ୍ୟ ସରକାର ଆଦିବାସୀ ବିରୋଧୀ କାର୍ଯ୍ୟରୁ ପଛଘୁଞ୍ଚା ନଦେଲେ ଆଦିବାସୀଙ୍କ ଉଗ୍ର ରୂପ ଦେଖିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଗଣ | ରାଜ୍ୟରେ ଆଦିବାସୀ ମାନଙ୍କ ଉପରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି | ଗତ କିଛି ଦିନ ତଳେ ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ମାଲପଡ଼ା ଗାଁର ଜଣେ ଆଦିବାସୀ ବିଞ୍ଝାଳ ପରିବାରର ତିନି ଏକଡ଼ ଫଳନ୍ତି କପା ଚାଷକୁ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମର ବିଜେପି ନେତା ଉପେନ୍ଦ୍ର ଭୋଇ ନିଜର ଜେସିବି ଲଗେଇ ଖପ୍ରାଖୋଲ ପୋଲିସକୁ ହାତ ବାରିସୀ କରି ସମ୍ପୂର୍ଣ ଭାବେ ନଷ୍ଟ କରିଦେଇଥିବାରୁ ସଭାରେ ବିଜେପି ନେତାଙ୍କ କାର୍ଯ୍ୟକୁ ନିନ୍ଦା କରି ପୋଲିସ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯିବାକୁ ଚେତାବନୀ ଦେଇଛି | ଆଗାମୀ ନଭେମ୍ବର ୧୫ ରେ ବଲାଙ୍ଗୀର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିର୍ଷାମୁଣ୍ଡା ଜୟନ୍ତୀରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ କରିଥିଲେ | ଆସନ୍ତା ତା. ୧୨/୧୦/୨୫ ରବିବାର ଦିନ ବ୍ରହ୍ମପୁରା ଆଦିବାସୀ ଭବନ ଉଦଘାଟନ କାର୍ଯ୍ୟକ୍ରମ ରହିଛି ଏହି ଅବସରରେ ରାଜ୍ୟସଭା ସାଂସଦ ଡଃ. ନିରଞ୍ଜନ ବିଶିଙ୍କ କରକମଳରେ ଉଦଘାଟନ କରିବେ | ଆଜିର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ସାରଥୀ ବାଗ, ଯୋଗେଶ୍ୱର ଭୋଇ, ଭୋଳା ମଲ୍ଲିକ, ଜଗଦାନନ୍ଦ ମାଝୀ, ପ୍ରଦୀପ ବରିହା, ବରୁଣ ବିଶି, ଦୟାନିଧି ବରିହା, ଧବଳେଶ୍ୱର ଭୋଇ, ଜଳ ଧରୁଆ, ଯୁଧିଷ୍ଠିର ମିର୍ଦ୍ଧା, ଭାବ ବରିହା, ଯୁଧିଷ୍ଠିର ଶବର, ପୁରନ୍ଦର ରାଉତ, ବଂଶୀଧର ଧରୁଆ, କଷ୍ଟ ରା଼ଏ, ଭୀଷ୍ମ ଦେବ ମଲ୍ଲିକ, ସନୁ ବରିହା, ଘନ ଭୁଏ ପ୍ରମୁଖ ବକ୍ତବ୍ୟ ରଖିଥିଲେ | ହୃଷିକେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ