ବିଏମ୍ ସି ପକ୍ଷରୁ ଗୋଟିଏ ଦିନରେ ସଫା ହେଲା ସମସ୍ତ ପୂଜା ମଣ୍ଡପ • ମଣ୍ଡପ ନିକଟରୁ ଉଠାଇ ଦିଆଗଲା ସମସ୍ତ ଅସ୍ଥାୟୀ ଦୋକାନ
Bhubaneswar, 4 ଅକ୍ଟୋବର (ହି.ସ.) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ତତକ୍ଷଣାତ୍ ପୂଜା ମଣ୍ଡପଗୁଡିକୁ ସଫେଇ କରାଯାଇଛି । ଆଜି ସକାଳୁ ସକାଳୁ 3ଟି ଜୋନ୍ ରେ ସ୍ୱଚ୍ଛ କର୍ମୀମାନେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂଜା ମଣ୍ଡପରେ ସଫେଇ କାର୍ଯ୍ୟ କରିଥିଲେ । ମେୟର ଶ୍ରୀମତୀ ସୁଲ
ବିଏମ୍ ସି ପକ୍ଷରୁ ଗୋଟିଏ ଦିନରେ ସଫା ହେଲା ସମସ୍ତ ପୂଜା ମଣ୍ଡପ • ମଣ୍ଡପ ନିକଟରୁ ଉଠାଇ ଦିଆଗଲା ସମସ୍ତ ଅସ୍ଥାୟୀ ଦୋକାନ


Bhubaneswar, 4 ଅକ୍ଟୋବର (ହି.ସ.)

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ତତକ୍ଷଣାତ୍ ପୂଜା ମଣ୍ଡପଗୁଡିକୁ ସଫେଇ କରାଯାଇଛି । ଆଜି ସକାଳୁ ସକାଳୁ 3ଟି ଜୋନ୍ ରେ ସ୍ୱଚ୍ଛ କର୍ମୀମାନେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂଜା ମଣ୍ଡପରେ ସଫେଇ କାର୍ଯ୍ୟ କରିଥିଲେ । ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ସହିତ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ସାହୁ, ସମସ୍ତ ଜୋନାଲ କମିଶନର, ସହକାରୀ କମିଶନର, ସ୍ଥାନୀୟ କର୍ପୋରେଟର, ଇଂଜିନିୟର ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଜି ସକାଳୁ ବିଭିନ୍ନ ପୂଜା ମଣ୍ଡରରେ ପହଞ୍ଚି ସଫେଇ କାର୍ଯ୍ୟର ତଦାରଖ କରିଥିଲେ । ପୂଜା କମିଟିର କର୍ମକର୍ତ୍ତା ଓ ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସର୍ବସାଧାରଣଙ୍କ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଡ୍ରେନ, ରାସ୍ତା କିମ୍ବା ମୁଖ୍ୟ ରାସ୍ତା ଉପରେ ପଡିଥିବା ସମସ୍ତ ଅସ୍ଥାୟୀ ଦୋକାନ, ଷ୍ଟଲ, ଟ୍ରଲି, ଠେଲା ଗାଡି ଆଦିକୁ ମଧ୍ୟ ହଟାଇ ଦିଆଯାଇଛି । ଚଳିତ ବର୍ଷ ଭସାଣିର ପରଦିନ ସମସ୍ତ ପୂଜା ମଣ୍ଡପ ଗୋଟିଏ ଦିନରେ ସଫେଇ କରାଯାଇଛି । ଏଥିପାଇଁ ଅଧିକ ସଫେଇ କର୍ମୀଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଥିଲା । ସହିଦ ନଗର ପୂଜା ମଣ୍ଡପ ନିକଟରେ ଜବରଦଖଲ କରିଥିବା ଦୁଇଜଣ କବାଡି ବାଲାଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ପୂଜା ମଣ୍ଡପଗୁଡିକର ତ୍ୱରଣଗୁଡିକ ଭାଙ୍ଗିବା ସମୟରେ ସଂପୃକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର କର୍ମଚାରୀମାନେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତୋରଣଗୁଡିକ ଖୋଲିବା ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟେ, ସେଥିପ୍ରତି ଧ୍ୟାନ ଦେବା ସହ ବିଦ୍ୟୁତ୍ ସରବରାହରେ ଯେପରି ବ୍ୟାଘାତ ସୃଷ୍ଟି ନ ହୁଏ ବା ବିଦ୍ୟୁତ୍ ସଂସ୍ପର୍ଶରେ କେହି ନ ଆସନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବା, ଆବଶ୍ୟକସ୍ଥଳେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ସହାୟତା ନେବାକୁ କୁହାଯାଇଛି ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଗୋଷ୍ଠୀ ସହଯୋଗରେ ଗଣସଫେଇ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସହରକୁ ସ୍ୱଚ୍ଛ ରଖିବା ସହିତ ସ୍ୱଚ୍ଛତା ଧାରା ବଜାୟ ରଖିବାକୁ ଏକ ସମୟରେ ସମସ୍ତ ପୂଜା ମଣ୍ଡପରେ ଏହି ଗଣସଫେଇ କରାଯାଇଛି । ଏଥିପାଇଁ ବିଏମ୍ ସି କର୍ତ୍ତୃପକ୍ଷ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପକ୍ଷରେ ମୂର୍ତ୍ତି ବିସର୍ଜନ ପାଇଁ ଖନନ କରାଯାଇଥିବା ଅସ୍ଥାୟୀ ପୁଷ୍କରିଣୀଗୁଡିକୁ ଯଥାଶୀଘ୍ର ସଫା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଗତକାଲିଠାରୁ ପ୍ରତ୍ୟେକ ପୁଷ୍କରିଣୀ ନିକଟରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିଲା । ସେଠାରେ ଅଧିକାରୀ ଓ କର୍ମଚାରୀମାନେ ସାରାରାତି ଉପସ୍ଥିତ ରହି ସୂଚାରୁରୂପେ ମୂର୍ତ୍ତିଗୁଡିକୁ ବସର୍ଜନ କରାଇଥିଲେ । ବିସର୍ଜନ ପରେ ପରେ ପୁଷ୍କରିଣୀଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଚାଲୁ ରହିଛି ।

ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande