ଚମ୍ପୁଆ, ୪ ଅକ୍ଟୋବର (ହି.ସ.)- କେନ୍ଦୁଝର ଜ଼ିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଳ ପଞ୍ଚାୟତ, କାଶିପାଳ ପାନପଶି ଗ୍ରାମର ଦେହୁରୀସାହି ମା ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ଦଶହରା ପୂଜା ଉପଲକ୍ଷେ ଡ୍ୟାନ୍ସ ଧାମାକା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫଗୁ ନାଏକ, ଅଖୟ କୁମାର ନାଏକ, ଉଦ୍ଧବ ନାଏକ, ରଞ୍ଜିତ ନାଏକ, କାମଦେବ ନାଏକ, ରୁନି ନାଏକ, ରତନି ନାଏକ, ସୁକୁମଣି ନାଏକ ଓ ସୀମା ନାଏକ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
ଗ୍ରାମରେ ଦଶହରା ପୂଜା ଆଜକୁ ପ୍ରାୟ ୭୦ ବର୍ଷରୁ ଅଧିକ ହେବ ଗ୍ରାମବାସୀ ମିଳିତ ସାହାଯ୍ୟ ସହଯୋଗରେ କରି ଆସୁଛନ୍ତି। ଏହି ଦଶହରା ପୂଜା ଉପଲକ୍ଷେ ଡ୍ୟାନ୍ସ ଧାମାକା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମା ଦୁର୍ଗା ଯୁବକ ସଂଘ ଅନୁକୂଲ୍ୟରେ ପ୍ରାୟ ୧୦ ବର୍ଷ ହେବ କରିଆସୁଛନ୍ତି। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ଦିବାକର ମହାନ୍ତ ଯୋଗଦେଇ ଥିଲେ। ସର୍ବ ପ୍ରଥମେ ଅତିଥିମାନଙ୍କୁ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ପୂଜାମଣ୍ଡପ ପାଖକୁ ପାଛୋଟି ଆଣିଥିଲେ ଓ ଶ୍ରୀ ତ୍ରିପାଠୀ ସେଠାରେ ମା' ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ଉପସ୍ଥିତ ଥିବା ଜନସାଧାରଣ ଓ ଗ୍ରାମବାସୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅଭିଭାଷଣରେ ମା ଦେବୀ ଦୁର୍ଗାଙ୍କ ପୂଜା ଉପରେ ଆଲୋକପାତ କରିଥିଲେ। ମା' ଦୁର୍ଗାଙ୍କ ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ, ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ତ୍ରୀଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ଏବଂ ତା ସହିତ କିପରି ଆମ ପରମ୍ପରା ବଜାୟ ରଖି ନୂତନ ଯୁବପିଢିଙ୍କୁ ଶିକ୍ଷିତ କରିବା ପରି ଅନେକ କଥା ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta