ସୁବର୍ଣ୍ଣପୁର, ୪ ଅକ୍ଟୋବର (ହି.ସ.)- ମହାଳୟା ଠାରୁ ଆରମ୍ଭ ହୋଇଥିବା ମା ଲଙ୍କେଶ୍ଵରୀଙ୍କ ଦଶହରା ମହାଆଳତୀର ଦଶହରା ସନ୍ଧ୍ୟାରେ ଶେଷ ହୋଇଯାଇଛି l ଶାରଦୀୟ ନବରାତ୍ରୀ ଉପଲକ୍ଷେ ମହାନଦୀ ଗର୍ଭରେ ଥିବା ମା ଲଙ୍କେଶ୍ବରୀ ଉଦ୍ଦେଶ୍ୟରେ ଏହି ମହା ଆଳତୀ ୬ ବର୍ଷ ହେବ ମା ଲଙ୍କେଶ୍ଵରୀ ମହା ଆଳତୀ କମିଟି ପକ୍ଷରୁ ଧୁମଧାମ ରେ ପାଳିତ ହୋଇ ଆସୁଛି l ସଂସାର ର ତଥା ସୁବର୍ଣ୍ଣପୁର ବାସୀ ଙ୍କ ମଙ୍ଗଳ କାମନା ପାଇଁ ଏବଂ ମହାନଦୀର ସୁରକ୍ଷା ତଥା ସ୍ବଚ୍ଛତା ଉଦ୍ଦେଶ୍ୟରେ ଏହି ମହା ଆଳତୀ ଆୟୋଜନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ତଥା ସାମ୍ୱାଦିକଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରାଯାଇଥିବା ବେଳେ ସ୍ଥାନୀୟ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି l
ଆସନ୍ତୁ ଜାଣିବା ମା ଲଙ୍କେଶ୍ବରୀଙ୍କ ବିଷୟରେ କିଛି କଥା l ଦେବୀ କାହିଁ ଆବାହମାନ କାଳରୁ ସୋମବଂଶୀ ଶାସନ କାଳରେ ୧୦୪୦ ଖ୍ରୀଷ୍ଟାବ୍ଦରୁ ପୂଜା ପାଇ ଆସୁଛନ୍ତି l ଯେଉଁ ଶିଳା ରେ ଦେବୀ ପୂଜା ପାଉଛନ୍ତି ଏକ ଶିଳା ଲେଖ, ସାତବହନି ଚିତ୍ର, ବିଷ୍ଣୁପାଦ, ଚକ୍ର ଚିହ୍ନ ଉତ୍କିର୍ଣ୍ଣ ହୋଇଥିବା ଦେଖାଯାଏ l କଥାରେ ଅଛି ପୂଜକ ଦିନେ ପ୍ରସାଦ ଅର୍ପଣ କରି ସାରି କଳସି ଗଡୁ ଛାଡ଼ି ଆସିବାରୁ ନେବା ପାଇଁ ପୁଣି ଫେରିବାରୁ ପୀଠରେ ସାତ ଭଉଣୀ ପ୍ରସାଦ ସେବନ କରୁଥିଲେ ନଜିର ଅଛି l ପରେ କୈବର୍ତ୍ତ ସମାଜର ଉଦ୍ୟମ କ୍ରମେ ନଦୀ ଗର୍ଭରେ ଏକ ସୁନ୍ଦର ମନ୍ଦିର ନିର୍ମାଣ ସହ ମା ଙ୍କ ମୁଗୁନି ପଥରରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି l ମନ୍ଦିର ନିର୍ମାଣ ପରେ ପୀଠର ପ୍ରଚାର ପ୍ରସାର ହେବା ସହ ପର୍ଯ୍ୟଟକଙ୍କ ଏବେ ସୁଅ ଛୁଟୁଛି l ମା ଙ୍କ ପୀଠରେ ଚୈତ୍ର ମାସରେ ମା ଙ୍କ ଯାତ୍ରା ସହର ପରିକ୍ରମା କରିଥାଏ l ବନ୍ୟା ସମୟରେ ପୂର୍ଣ୍ଣ ଗର୍ଭା ନଦୀ ଯେତେବେଳେ ନଦୀ ପାଣି ଦେଖିଲେ ଡର ଲାଗେ ସେତେବେଳେ ନାଉରୀ ତଥା କୈବର୍ତ୍ତ ମାନେ କେବଳ ମା ଙ୍କ ସାହା ଭରସାରେ ହିଁ ସଫଳତାର ସହ ନଦୀ ପାରି କରୁଥିବା କଥା ଲୋକ ବିଶ୍ୱାସ କରିଥାନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ