ଜୟପୁର, ୪ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟିଙ୍ଗ ହୋଇଛି। ତେବେ ଗତକାଲି ଶ୍ରୀମତି ପରଜା ଜୟପୁର ଉପ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଗତ ଦୁଇ ମାସ ପୂର୍ବେ ସମିତିସଭ୍ୟ ଏବଂ ସରପଞ୍ଚ ମାନେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପରେ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଗତ ୧୯ ତାରିଖ ପତ୍ର ସଂଖ୍ୟା ୭୮୫୭/୨୫ କରାଯାଇ ଚଳିତ ମାସ ୪ ତାରିଖ ଭୋଟିଙ୍ଗ କରିବା ବିଷୟରେ ଉଲ୍ଲେଖ ହୋଇଥିଲା। ସେ ଅନୁଯାୟୀ ଆଜି କୁନ୍ଦୁରା ତହସିଲଦାର ତଥା ଇଲେକ୍ସନ ଅଫିସରଙ୍କ ଉପସ୍ଥିତିରେ ଆଜି ଅନାସ୍ଥା ଭୋଟିଙ୍ଗ କରାଯାଇଥିଲା। ଅନାସ୍ଥା ଭୋଟିଙ୍ଗ ବେଳେ ବ୍ଲକର ୧୬ ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତର ୧୪ ଜଣ ସରପଞ୍ଚ ଏବଂ ୧୪ ସମିତି ସଭ୍ୟ ମୋଟ ୨୮ ଜଣ ଉପସ୍ଥିତ ରହି ମତଦାନ କରିଥିଲେ l ଭୋଟିଙ୍ଗ ବେଳେ ୪ ଜଣ ସଦସ୍ୟଙ୍କ ସମେତ ସାଂସଦ ଏବଂ ବିଧାୟକ ଅନୁପସ୍ଥିତି ଥିଲେ। ଜିପିଡିଓ, ଜଗତସିଂହ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିଥିଲେ l ନିର୍ବାଚନ ଅଧିକାରୀ ତଥା ତହସିଲଦାରଙ୍କ କହିବା ଅନୁଯାୟୀ ଓଡିଶା ପଞ୍ଚାୟତ ରାଜ ଆଇନ ୧୯୫୯ ଧାରା ୪୬(ବି) ଅନୁସାରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଙ୍ଗ କରାଯାଇ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ନିକଟକୁ ସମସ୍ତ ଫାଇଲ ପଠାଯାଇଛି ବୋଲି କହିଛନ୍ତି।
ପୂର୍ବତନ ସାଂସଦ, ପ୍ରଦୀପ ମାଝୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି, ବୃନ୍ଦାବନ ମଳିକ, ବରିଷ୍ଠ ବିଜେଡି ନେତା ନରେନ୍ଦ୍ର ପ୍ରଧାନ, ଧର୍ମେନ୍ଦ୍ର ଅଧିକାରୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ନୂତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚୟନ ନହେବା ପର୍ଯ୍ୟନ୍ତ ଉପାଧ୍ୟକ୍ଷ କାର୍ଯ୍ୟ ସମ୍ପାଦନ କରିବେ ବୋଲି ସୂଚନା ମିଳିଛି। ଆସନ୍ତା ଦିନରେ କିଏ ବ୍ଲକ ଅଧ୍ୟକ୍ଷ ହେବେ ଦଳୀୟ ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ବରିଷ୍ଠ ନେତା ମାନେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି