ସବୁ ବର୍ଗଙ୍କୁ ନେଇ ଯେଉଁ ଉନ୍ନତ ଅଭିନୟ ମଞ୍ଚସ୍ଥ ହୋଇଥାଏ ତାହା ନାଟକକୁ ଜୀବନ୍ତ କରିଥାଏ
ସବୁ ବର୍ଗଙ୍କୁ ନେଇ ଯେଉଁ ଉନ୍ନତ ଅଭିନୟ ମଞ୍ଚସ୍ଥ ହୋଇଥାଏ ତାହା ନାଟକକୁ ଜୀବନ୍ତ କରିଥାଏ
ସବୁ ବର୍ଗଙ୍କୁ ନେଇ ଯେଉଁ ଉନ୍ନତ ଅଭିନୟ   ମଞ୍ଚସ୍ଥ ହୋଇଥାଏ ତାହା ନାଟକକୁ ଜୀବନ୍ତ କରିଥାଏ


ସମ୍ବଲପୁର, ୦୪ ଅକ୍ଟୋବର (ହି.ସ.) ନାଟକ ଏକ ଯୌଥ କଳା । ଏଥିରେ ସବୁ ବର୍ଗଙ୍କୁ ନେଇ ଯେଉଁ ଅଭିନୟ ହୋଇଥାଏ ସେଥିରେ ମଞ୍ଚସ୍ଥ ନାଟକ ଜୀବନ୍ତ ହୋଇଥାଏ। ନାଟକ ଜୀବନ ଯାତ୍ରା ପାଇଁ ଏକ ସଫଳ ବାର୍ତ୍ତା ଓ ଏହାର ପ୍ରଦର୍ଶନ ସମାଜକୁ ନୂତନ ଦିଗ ଦେଖାଇଥାଏ ଏଭଳି ଅନେକ ମାର୍ମିକ ଓ ତଥ୍ୟ ସମ୍ଭଳିତ ଉକ୍ତିକୁ ନେଇ ସମ୍ବଲପୁରୀ ନାଟକର ସ୍ଥିତି, ଗତି, ବିକାଶ ଓ ଆହ୍ବାନ ଶୀର୍ଷକ ଆଲୋଚନା ଚକ୍ରରେ ମଞ୍ଚାସୀନ ଅତିଥି ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଶା ନାଟ୍ୟ ସଂଘ ସମ୍ବଲପୁର ତରଫରୁ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଆୟୋଜିତ ଆଲୋଚନା ସଭା ସଂଚାଳନ କରିଥିଲେ ନାଟ୍ୟକାର ଅତିଶ ଶତପଥି। ଡ. ଶ୍ୟମସୁନ୍ଦର ଧରଙ୍କ ସଭାପତିତ୍ବରେ ଡ. ଦ୍ବାରିକାନାଥ ନାୟକ ମୂଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ‘ସମ୍ବଲପୁରୀ ନାଟକର ସ୍ଥିତ,ଗତି,ବିକାଶ ଓ ଆହ୍ବାନ’ ବିଷୟକ ଆଲୋଚନାକୁ ଆରମ୍ଭ କରି ପ୍ରଥମେ ନାଟ୍ୟକାର ଆଶିଷ ସୋନାର ସମ୍ବଲପୁରୀ ନାଟକର ଆରମ୍ଭରୁ ଆଜି ଯାଏଁ ହୋଇଥିବା ବିଭିନ୍ନ ତାର ଗତି ଓ ପ୍ରଗତିକୁ ପ୍ରାଂଜଳ ଭାବରେ ଉପସ୍ଥାପନ କରିଥିଲେ। ୧୯୫୭ ର ନାଟକ। ‘ଗୌନ୍ତିଆ ବାବୁ’ ଠାରୁ ଆରମ୍ଭ କରି ସେ ସମୟର ‘ଫଟା କପାଲ୍‌’ ଓ ଅନ୍ୟାନ୍ୟ ସମସ୍ତ ନାଟକଗୁଡ଼ିକର ସଫଳ ମଂଚନ ବାବଦରେ ବର୍ଣନା କରିଥିଲେ। ୧୯୮୧ ରେ ବିନୋଦ ପଶାୟତ୍‌ଙ୍କର ‘ଉଖି’ ନାଟକ ରାଉରକେଲା ଠାରେ ପ୍ରଶଂସିତ ହେଲା ପରେ ୧୯୮୩ ରେ ପ୍ରସନ୍ନ ସାହୁଙ୍କର ‘ସସେମିରା’ ନାଟକ ଏଲ୍‌ହାବାଦ୍‌ ଠାରେ ପ୍ରଶଂସିତ ହେବା ବେଳକୁ ଆମ ନାଟକର ପ୍ରକୃତ ଉନ୍ବେଷ ହୋଇଥିବା ଦର୍ଶାଇଥିଲେ। ପ୍ରତିସ୍ଫର୍ଦ୍ଧାମୂଳକ ନାଟକ କ୍ଷେତ୍ର ଓ ପ୍ରଦର୍ଶନୀମୂଳକ ନାଟକ କ୍ଷେତ୍ରର ଭଲମନ୍ଦ ବିଷୟରେ ଗୁରୁତ୍ବପୂର୍ଣ ମନ୍ତବ୍ୟ ରଖିଥିଲେ। ଅଧିକ କମ୍ପିଟିସନ୍‌ ପ୍ଲେ ହେଲେ ଅଧିକ ନାଟକ ସୃଷ୍ଟି ହେବା ସ୍ବଭାବିକ ଏବଂ ଅଧିକ ଏକ୍‌ଜିବିସନ୍ସ୍‌ ପ୍ଲେ ହେଲେ ନାଟ୍ୟ ଜଗତକୁ ଅଧିକ ଲାଭ ବୋଲି କହିଥିଲେ। ଏଥିରେ ସରକାର ଙ୍କ ପ୍ରମୂଖ ଭୂମିକା ରହିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ। ‘ନାଟ୍‌ ନାଟୁଆ’ ଭଳି ଅନୁଷ୍ଠାନ ସମ୍ବଲପୁରୀ ନାଟକ ମଂଚନକୁ ଆହୁରି ଆଗକୁ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। ନାଟ୍ୟ ନାୟିକା ମମତା ପଣ୍ଡା ସାଂପ୍ରତିକ ସମୟରେ ନାଟକ ଅଭ୍ୟାସ ଓ ମଚଂ ପରିବେଷଣରେ ଥିବା ଅସୁବିଧା କଥା ରଖିଥିଲେ। ସମ୍ବଲପୁରୀ ନାଟକର ପାଣ୍ଡୁଲିପି ଅବାବରୁ, ଅଭ୍ୟାସ ପାଇଁ ସ୍ଥାନର ଅଭାବ,ପ୍ରେକ୍ଷାଳୟର ଅଭାବ,ମହିଳା ନାଟ୍ୟକର୍ମୀଙ୍କ ଅଭାବ,ପେଶାଦାର ନାଟ୍ୟ ସମାଜର ଅଭାବ ଏବଂ ନାଟ୍ୟ ଶିକ୍ଷା ପାଇଁ ବିଧିବଦ୍ଧ ନାଟ୍ୟଶିକ୍ଷାଳୟର ଅଭାବ କଥା କହିଥିଲେ। ନାଟ୍ୟକାର ପ୍ରଶାନ୍ତ ମହାରଣା ପାଣ୍ଡୁଲିପି ବା ସ୍କ୍ରିପ୍ଟ୍‌ ହିଁ ନାଟକର ‘ନିହି’ ବା ଭିତ୍ତିପ୍ରସ୍ତର ବୋଲି ଯୁକ୍ତି ରଖିଥିଲେ। ସେହି ନିହ ଉପରେ ପିଲାର୍‌ କରି ବାକି ସବୁ କରାଯାଏ। ସମ୍ବଲପୁରୀ ନାଟକରେ ସାହିତ୍ୟିକ ଉପାଦାନର ଘୋର ଅଭାବ ପରିଲକ୍ଷିତ ହେଉଥିବା କଥା ଉପସ୍ଥାପନ କରିଥିଲେ। ନାଟ୍ୟକାରମାନେ ପରସ୍ପରଙ୍କ ମଧ୍ୟରେ ଭାବ ବିନିମୟ ମଧ୍ୟ କରୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ନାଟକ ଗୁଡ଼ିକର ପ୍ରକୃତ ଅଭାବ ଯୋଗୁଁ ଆମେ ଆଗକୁ କେଉଁ ଦିଗରୁ ବଢ଼ିବା ଜଣା ପଡ଼ୁନାହିଁ। କଣ ଅଭାବ ରହିଲା ମଧ୍ୟ ଜଣା ପଡ଼ୁନାହିଁ। ମଂଚ ସଜ୍ଜ୍ୟା ବାବଦରେ ସବିଶେଷ ଆଲୋଚନା ନାହିଁ। ଆଲୋକ ସଂପାତର ନିୟମ ସଂପର୍କରେ ଭାବ ବିଚାର ହେଉନାହିଁ। ନାଟ୍ୟକର୍ମୀମାନଙ୍କର ନିଷ୍ଠା ଓ ଅନୁଶାସନ ଅଭାବ ପିରିଲକ୍ଷିତ ହେଉଛି। ନାଟ୍ୟ ନାୟକ ନରେନ୍ଦ୍ର ବେହେରା ସମ୍ବଲପୁରୀ ନାଟକରେ ଲୋକ ଉପାଦାନର ବହୁଳ ଆବଶ୍ୟକତା ଉପରେ ଆଲୋଚନାକୁ ଆଗକୁ ବଢ଼ାଇ ଥିଲେ। ନାଟକ କେବଳ କ୍ଲାସ୍‌ ପାଇଁ ନ ହୋଇ ମାସ୍‌ ପାଇଁ ହେବା ଉଚିତ୍‌ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆମର ନାଟକକୁ ଅନ୍ୟତ୍ର ମଂଚନ କରାଗଲେ ଆମେ କହିପାରିବା ଆମର ନାଟକ ଅଗ୍ରଗାମୀ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ନାଟ୍ୟ ଅଧ୍ୟାପକ ଚନ୍ଦରକାନ୍ତ ମହାନନ୍ଦ ବିଶ୍ବର ଭିନ୍ନ ଭିନ୍ନ ନାଟକକୁ ବିଭାଗୀକୃତ କରି ସମ୍ବଲପୁରୀ ନାଟକ ଏକ କ୍ଷେତ୍ରବାଚକ ନାଟ୍ୟ ସମୂହ ବୋଲି ଦର୍ଶାଇ ଥିଲେ। ପରିସଂଖ୍ୟାନରୁ ଜଣାଯାଉଛି ଯେ ନାଟକ ପ୍ରଦର୍ଶନ କରୁଥିବା ଅନୁଷ୍ଠାନମାନଙ୍କର ସଂଖ୍ୟା କମି କମି ଯାଉଛି। ଏହା ଶୁଭଙ୍କର ନୁହେଁ। ସେଇଭଳି ନାଟ୍ୟକାର କମୁଛନ୍ତି। ଭାରତର ଅନ୍ୟାନ୍ୟ ନାଟକ ସହ ସମ୍ବଲପୁରୀ ନାଚକକୁ ତୁଳନା କରିବାର ସମୟ ଆସିଛିୟ ପ୍ରଦର୍ଶନ,ଲୋକ ପ୍ରିୟତା ଓ ପାଣ୍ଡୁଲିପିର ଆଧାରରେ ଏହି ତୁଲନା କରି ଆମେ ଆମ ନାଟକର ସ୍ଥିତି,ଗତି,ବିକାଶ ଓ ଆହ୍ବାନକୁ ଜାଣିପାରିବା। ଜାତୀୟ ସ୍ତରରେ ଅନ୍ୟ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ହବିବ୍‌ ତନ୍‌ବିର୍‌ ବା ପଶ୍ଚିମ ବଙ୍ଗର ବାଦଲ ବାଦଲ୍‌ ସରକାରଙ୍କ ଭଳି କେତେ ଜଣ ନାଟ୍ୟକାର ଆମ ଭାଷାରେ ଏଯାଏଁ ନାଁ କଲେଣି ବୋଲି ସେ ପ୍ରଶ୍ନ କରିଥିଲେ। ଆଇ. ଏଫ୍‌. ଟି. ଏ. ଭଳି ଏଠାରେ ଏକ ସଂସ୍ଥା ସମ୍ବଲପୁରୀ ନାଟକ ପାଇଁ କାର୍ଯ୍ୟ କରୁ। ଏନ୍‌. ଏସ୍‌. ଡି. ଭଳି ଜାତୀୟ ସଂସ୍ଥା ଏଠାରେ ପ୍ରାନ୍ତୀୟ ଶାଖା ଖୋଲୁ। ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘର ସଭାପତି ଡ. ସପନ ମିଶ୍ର କହିଥିଲେ ଯେ ନାଟକ ଲିଖନ ଓ ମଂଚନ ଉଭୟ ପାଇଁ ନିର୍ଦ୍ଦିଷ୍ଟ ଅନ୍ତରାଳରେ ସଂପୃକ୍ତ ନାଟ୍ୟକାର,ନାଟକର ବିଭିନ୍ନ ବିଭାଗର ବ୍ୟକ୍ତି ବିଶେଷ ଓ କଳାକାରଙ୍କୁ ନେଇ ବିଚାର ବୈଠକ ହେବା ଉଚିତ। ଆଜି ସମ୍ବଲପୁରୀ ନାଟକରେ ନାଟ୍ୟ ରଚନାଠାରୁ ଆରମ୍ଭ କରି ନିର୍ଦ୍ଦେଶନା ଓ ଅଭିନୟ ଭ ଳି ସମସ୍ତ ବିଭାଗରେ ମଧ୍ୟ ନୂତନ ପ୍ରୟୋଗ ପାଇଁ ଅନେକ ଆହ୍ବାନ ରହିଛି। ଆମ ନାଟକ ପ୍ରକାଶିତ ହୋଇ ଅନ୍ୟ ଭାଷାରେ ଅଭିନୀତ ହେବା ସମୟକୁ ଆମେ ବରି ଆଣିବା ପାଇଁ ଅଧିକ କାର୍ଯ୍ୟ କରିବାକୁ ହେବ। ମୂଖ୍ୟବକ୍ତା ଡ. ଦ୍ବାରିକାନାଥ ନାୟକ ନାଟ୍ୟ ଲେଖକ ଓ ନାଟ୍ୟ ନିର୍ଦ୍ଧେଶକ ଉଭୟଙ୍କ ମଧ୍ୟରେ ତୁଳନା କରି ନାଟକ ଲେଖାରୁ ହିଁ ନାଟକର ବୀଜ ବପନ ହୋଇତାଏ ବୋଲି କହିଥିଲେ। ସମାଜ ଉପରେ ନାଟକର ପ୍ରଭାବ ଆଧାରରେ ନାଟକଗୁଡ଼ିକୁ ମୂଲ୍ୟାୟନ କରିବା ଉଚିତ୍‌। କେଉଁ ନାଟକ କେଉଁ ପୁରସ୍କର ପାଇଲା ବା କେଉଁ ନାଟକ କେଉଁଠାରେ ପ୍ରଦର୍ଶିତ ହେଲା ତାହା ବଡ଼ କଥା ନୁହେଁ। ଆମ ନାଟକଗୁଡ଼ିକୁ ଗୋଟିଏ ଗୋଟିଏ ଦଶକ ଅନୁସାରେ ଦେଖିଲେ ୧୯୮୧ ‘ଉଖି’ ନାଟକ ପର୍ଯ୍ୟନ୍ତ ଗୋଟିଏ ଧରଣର ନାଟକର ଅନ୍ତସ୍ବର ରହିଥିଲା। ତା ପରେ ‘ଅଲାର’,’ଲିତା’,’ଭୁଖା’,ପ୍ରଭୃତି ଅନେକ ଇତିହାସ ସୃଷ୍ଟି କଲା। ତା ପରବର୍ତ୍ତୀ ଦଶକରେ ଦାରିଦ୍ର୍ୟ,ଦାଦନ,ଚାଷୀ ଆତ୍ମହତ୍ୟା ଭଳି ସାମାଜିକ ଦୃଶ୍ୟ ପ୍ରଦର୍ଶିତ ହେଲା। ତା ପରେ ଏବେ ନାଟକ ଗୁଡ଼ିକ ବିବିଧ ଅନ୍ତସ୍ବର ଦେଇ ଗତି କରୁଛି। ଯେହେତୁ ନାଟକ ବହି ଛପା ହେଉ ନାହିଁ,ତା ଉପରେ ଆଲୋଚନା ହେଇ ପାରୁନାହିଁ। କମ୍‌ ଖର୍ଚ୍ଚରେ ଭଲ ନାଟକ ୧୯୯୫ ରୁ ଆରମ୍ଭ ହୋଇଛି। ନାଟକରେ ପ୍ରଯୁକ୍ତି ବନାମ ଅଭିନୟକୁ ଦେଖିଲେ,ଅଭିନୟ ହିଁ ଗୁରୁତ୍ବପୂର୍ଣ। ଆଜି ସମାଜ ଏତେ ହିଂସ୍ରକ,କ’ଣ ଦେଖାଇବେ ନାଟକରେ? ନାଟ୍ୟକାର ବବ୍‌ଲୁ ବାଗ୍‌ କହିଲେ ଆଜିର ଆହ୍ବନ୍‌ କୁ ନେଇ ହିଁ ନାଟକର ଗତି,ସ୍ଥିତି ଓ ବିକାଶ ପଥ ନିର୍ଦ୍ଦାରିତ ହେବ। ନୁଆଁ ପିଢ଼ି ଯାହା ଚାହୁଁଛି ତାହାକୁ ମର୍ଯ୍ୟାଦାର ସହ ରୋଚକ ତରିକାରେ ନାଟକରେ ଦେବାକୁ ହେବ। ନାଟକର ଭିନ୍ନ ଭିନ୍ନ ଦିଗ ଉପରେ ଭିନ୍ନ ଭିନ୍ନ ଓ ସ୍ବତନ୍ତ୍ର ଆଲୋଚନା କରିବାକୁ ହେବ। ନାଟ୍ୟ ନାୟିକା ପଂକଜିନୀ ମେହେର କହିଲେ ଆମ ନାଟକ କ୍ଷେତ୍ରରେ ନାରୀର ସ୍ଥିତି ଏତେ ବଳିଷ୍ଠ ନୁହେ। ନାଟକ ତ୍ୟାଗ ଦରକାର କରେ। ନାଟକ କ ଳାକାର ପାଇଁ ସମସ୍ତ ସୁବିଧା କରାଯାଏ। ନାଟ୍ୟକାର ପ୍ରଦୀପ ପଣ୍ଡା କହିଲେ ୧୯୮୦ ପର୍ଯ୍ୟନ୍ତ ଏକ ପ୍ରକାର,୧୯୯୦ ପର୍ଯ୍ୟନ୍ତ ଆଉ ଏକ ପ୍ରକାର୍‌,୨୦୦୦ ପର୍ଯ୍ୟନ୍ତ ଭିନ୍ନ ଏକ ପ୍ରକାର ସ୍ଥିତି ଦେଇ ୨୦୧୦ ପର୍ଯ୍ୟନ୍ତ ଠିକ୍‌ ଥିଲା। ସମ୍ବଲପୁରୀ ନାଟକ ଏବେ ଏକ ଅଦ୍ଭୁତ ସ୍ଥିତି ଦେଇ ଗତି କରୁଛି। ଆମେ କେତେ ଦର୍ଶକ ସୃଷ୍ଟି କରିପାରୁଛୁ ତାହା ହିଁ ଆମ ନାଟକର ସଫଳତାର ପରିମାପକ। ରେକର୍ଡ ସୃଷ୍ଟି କରି ନୁହେଁ ଆମ ନାଟକକୁ ବ୍ୟାପକ କରି ହିଁ ଆମେ ସଫଳତା ପାଇ ପାରିବା। ପୁରସ୍କାର ନୁହେଁ ଦର୍ଶକୀୟ ଆଦୃତି ଆମକୁ ଦରକାର। ସୌଖୀନ୍‌ ନାଟକ ପାଇଁ ଆଉ ମଂଚ ନାହିଁ କହିଲେ ଚଳେ। କମ୍ପିଟିସନ୍ସ୍‌ରୁ ହିଁ ନାଟ୍ୟକାର,ନାଟ୍ୟକର୍ମୀ ସୃଷ୍ଟି ହେଉଛନ୍ତି। ନାଟକ ଏକ ଯୌଥ କଳା ହୋଇ ଥିବାରୁ ଏଥି ପାଇଁ ସବୁ ବର୍ଗର ସହଯୋଗ ଆବଶ୍ୟକ। ରାଜ୍ୟ ସରକାର କଟକ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ପରିଷଦ ଜରିଆରେ ପ୍ରଦର୍ଶନୀ ନାଟକର ଆୟୋଜନ କରୁଛି ଅଥଚ ସମ୍ବଲପୁରରେ ବା ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାରେ ସେଭଳି ସମ୍ବଲପୁରୀ ପ୍ରଦର୍ଶନୀମୂଳକ ନାଟକ କାହିଁକି ହୋଇପାରୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ନାଟ୍ୟକାର ସତ୍ୟରଂଜନ ବେହେରା ନାଟକକୁ ଅକ୍ସିଜେନ୍‌ ଭାବରେ ନେଲେ ଯାଇ ଆମେ ନାଟକ କରିପାରିବା। ଆମେ ପ୍ରଭାବ ଦୃଷ୍ଟିରୁ ହୁଏତ ଓଡ଼ିଆ ନାଟକରୁ ଆଗକୁ ଯାଇପାରିଛୁ। ମାତ୍ର କଥାବସ୍ତୁ ଓ ଚରିତ୍ରର ଭିନ୍ନତା ଦୃଷ୍ଟିରୁ ଆମକୁ ଆହୁରି ପରିଶ୍ରମ କରିବାକୁ ହେବ। ନୁଆ ନାଟ୍ୟ ଦଳ ହେଉନାହାନ୍ତି। ନାଟକ ଖାଲି ଲେଖା ନୁହେଁ ତାର ପ୍ରଦର୍ଶନ ହିଁ ତାର ଲୋକପ୍ରିୟତାକୁ ପ୍ରତିପାଦିତ କରିଥାଏ। ଆମେ ଆମର ପୂର୍ବଜଙ୍କୁ ସମ୍ମାନ ଦେଇ ଆଗକ ଅଗ୍ରସିତ ହେବା। ପ୍ରକାଶନ ସହ ମଂଚନ,ସରକାରୀ ପ୍ରୋତ୍ସାହନ,ପ୍ରେକ୍ଷାଳୟର ସୁବିଧା ଓ ପ୍ରଚାରପ୍ରସାର ନିତାନ୍ତ ଆବଶ୍ୟକ। ସ ଭାପତି ଡ. ଶ୍ୟାମସୁନ୍ଦର ଧର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଉକ୍ତି କୁ ଉଦ୍ଧାର କରି କହିଥିଲେ ଯେ ଆମେ ରାଜ୍ୟର ମୂଖ୍ୟ ସାହିତ୍ୟ-ସଂସ୍କୃତି କେନ୍ଦ୍ରରୁ ଦୂରରେ ଥିବାରୁ ସର୍ବଦା ଅବହେଳିତ। ସେଥି ଯୋଗୁଁ ଆମେ ସରକାରୀ ସୁବିଧା ପାଇ ପାରି ନାହୁଁ। ଆମେ ନିଜ୍ସ୍ବ ଉଦ୍ୟମରେ କେତେଯେ ଦୁଖ କ ଷଣ ସହି ସହି ନାଟକ କରିଆସିଛୁ। ଆମ ନାଟକରେ ବୌଦ୍ଧିକତା ମଧ୍ୟ ଲୋକ ନାଟକ ଶୈଳୀରେ ପ୍ରଦର୍ଶିତ ହୋଇଛି। ଆମ ନାଟକରେ ବହୁ କଷ୍ଟରେ ଆମେ ମହିଳା ନାଟ୍ୟ କର୍ମୀ ପାଇଛୁ। ଏ ସବୁ ଆହ୍ବାନକୁ ଆମେ ଗ୍ରହଣ କରିଛୁ। ଆମ ନାଟକ ଜୀବନ୍ତ ଓ ଏହା ଆଗକୁ ଆହୁରି ଉନ୍ନତି ଆଡ଼କୁ ଯାଉଛି।

ପରିଶେଷରେ ଆୟୋଜକ ଓ ସଂଯୋଜକ ନାଟ୍ୟକାର ଅତିଶ ଶତପଥୀ ସମାପନ ବକ୍ତବ୍ୟରେ ସମ୍ବଲପୁରୀ ନାଟକ ମଂଚନ ଓ ତା ବାବଦରେ ଏପରି ଚର୍ଚ୍ଚା ଆଗକୁ ମଧ୍ୟ ରହିବ ବୋଲି ଘୋଷଣା କରିଥିଲେ। ଏଥିରେ ରାହୁଲ ଗୁପ୍ତା ସକ୍ରିୟ ସହଯୋଗ କରିଥିଲେ।ସମ୍ବଲପୁରୀ ନାଟକରେ ଆହୁରି ଅଧିକ ଯୋଗଦାନ କରିବାକୁ ନୁଆ ନାଟ୍ୟକାର,ନିର୍ଦ୍ଧେଶକ ଓ ନାଟ୍ୟକର୍ମୀଙ୍କୁସେ ଆହ୍ବାନ ଜଣେଇଥିଲେ। ନାଟ୍ୟ ନାୟକ ସୁଶିଲ୍‌ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande