ଧର୍ମଶାଳା,୪ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ସନ୍ନିକଟ ବ୍ରାହ୍ମଣୀ ନଦୀ କୂଳରେ ଗୋକର୍ଣ୍ଣେଶ୍ୱର ସ୍ୱର୍ଗଦ୍ୱାର ନିର୍ମାଣ ଓ ଜାରକା ଫ୍ଲାଇଓଭର ବ୍ରିଜର ଉଭୟ ପାଶ୍ୱର୍ରେ ଦୁଇଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ପାଇଁ ଅର୍ଥମଞ୍ଜୁର ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଦୁଇଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟଙ୍କ ଜ୍ୟେଷ୍ଠପୁତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶ ଏବଂ କନିଷ୍ଠପୁତ୍ର ଆଇନଜୀବୀ ଶ୍ୟାମ ପ୍ରସାଦ ଦାଶ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟି ଯଥାଶିଘ୍ର ଉକ୍ତ ଦୁଇଗୋଟି କାର୍ଯ୍ୟକୁ ଆରମ୍ଭ କରିବାକୁ ସ୍ୱର୍ଗତ ଲାବଣ୍ୟଙ୍କ ଦୁଇପୁତ୍ର ଶୁକ୍ରବାର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଅନୁରୋଧ କରିଥିବା ଜଣାପଡିଛି । ସ୍ୱର୍ଗତ ଲାବଣ୍ୟ ୨୦୨୧ରେ ଗୋକର୍ଣ୍ଣେଶ୍ୱର ସ୍ୱର୍ଗଦ୍ୱାର ପାଇଁ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ନିକଟରେ ଦାବି କରିଥିଲେ । ଧର୍ମଶାଳା ତହସିଲଦାର ଏଥିପାଇଁ ଅଢେଇ ଏକର ଜମି ଯୋଗାଇ ଦେଇଛନ୍ତି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୦ ଲକ୍ଷଟଙ୍କା ଓ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ସେହିପରି ଜାରକା ବସ୍ଷ୍ଟପ ଠାରେ ପ୍ରତୀକ୍ଷାଳୟ ନଥିବାରୁ ଯାତ୍ରୀମାନେ ଖରା ବର୍ଷା ଶୀତ କାକରରେ ଠିଆହୋଇ ବସ୍କୁ ଅପେକ୍ଷା କରି ରହୁଥିବାରୁ ବସ୍ଯାତ୍ରୀମାନଙ୍କ ନିମନ୍ତେ ଦୁଇଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ସ୍ୱର୍ଗତ ଲାବଣ୍ୟ ୨୦୨୩ ରେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିଲେ । ତଦନୁଯାୟୀ ତତ୍କାଳୀନ ଜିଲ୍ଲାପାଳ ଦୁଇଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜାତୀୟ ରାଜପଥ କର୍ତୃପକ୍ଷ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ମାତ୍ର ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ ଏହି ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ । ତେବେ ତିରନ୍ତ ସ୍ୱର୍ଗଦ୍ୱାର ନିର୍ମାଣ କରିବା ସହିତ ଜାରକା ଛକରେ ଯାତ୍ରୀ ପ୍ରତିକ୍ଷାଳୟ ପାଇଁ ଜମି ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ