ସମ୍ବଲପୁର, ୦୫ ଅକ୍ଟୋବର (ହି.ସ.)- ଶାରଦୀୟ ପୂଜା ଉତ୍ସବରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ଘଟିଯାଇଛି ଏକ ଆକ୍ରୋଶ ମୂଳକ ହତ୍ୟାକାଣ୍ଡ । ଦୋକାନ ସମ୍ମୁଖରେ ବେଲୁନ ବିକ୍ରି କରୁଥିବା ଅଭିଯୋଗରେ ଗୁଡ୍ଡୁ ରଜକ ନାମକ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଗୁଡ୍ଡୁଙ୍କ ବିଧବା ପତ୍ନୀ । କୁଚିଣ୍ଡା ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ୨୭୯/୨୫ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ କୈଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ତେବେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଛନ୍ତି କୁଚିଣ୍ଡା ଉପଖଣ୍ଡ ଅଧିକାରୀ ପ୍ରଦୀପ ଦାଶ । ମୃତକଙ୍କ ପତ୍ନୀ କରିଥିବା ଅଭିଯୋଗ ଅନୁଯାୟୀ ଗତ ୨ ତାରିଖ ଦଶହରା ରାତିରେ କୁଚିଣ୍ଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ରାମଲାଲ ଅଗ୍ରୱାଲଙ୍କ କପଡା ଦୋକାନ ସମ୍ମୁଖରେ ଗୁଡ୍ଡୁ ଏକ ବେଲୁନ୍ ଦୋକାନ ଲଗାଇଥିଲେ । ନିଜ ଦୋକାନର ଗ୍ରାହକ ଆସିବାରେ ଅସୁବିଧା ଦର୍ଶାଇ ଅନ୍ୟତ୍ର ଚାଲିଯିବା ପାଇଁ ଗୁଡ୍ଡୁଙ୍କୁ ରାମଲାଲ ତାଗିଦ୍ କରିବା ସହ ଧମକଚମକ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହଠାତ୍ ରାମଲାଲ ଓ ତାଙ୍କର କିଛି ସମର୍ଥକ ଗୁଡ୍ଡୁଙ୍କୁ ଆଖିବୁଜା ମାଡମାରି ଗୁରୁତର କରି ଦେଇଥିଲେ । ଚେତାଶୂନ ଅବସ୍ଥାରେ ଗୁଡ୍ଡୁ ରାସ୍ତାରେ ପଡିଥିବା ବେଳେ କୁଚିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁଡ୍ଡୁଙ୍କୁ ଚିକିତ୍ସା ପୁଥିବା କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁଡ୍ଡୁଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀର ଏଭଳି ମୃତ୍ୟୁରେ ଗୁଡ୍ଡୁଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ନ୍ୟାୟ ପାଇଁ ମୁଖ୍୍ୟ ଅଭିଯୁକ୍ତ ରାମଲାଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହି ହତ୍ଯା ଘଟଣାର ତିନିଦିନ ପରେ ପୋଲିସ କେବଳ ରାମଲାଲକୁ ଧରିବାରେ ସଫଳ ହେଇଛି। ମାତ୍ର ଶାରୀରିକ ଅସୁସ୍ଥତା ଦର୍ଶାଇବାରୁ ରାମଲାଲକୁ ପୋଲିସ ତୀକ୍ଷ୍ଣ ନଜରରେ ରଖି କୁଚିଣ୍ଡା ଡାକ୍ତରଖାନାରେ ଭର୍ତି କରିଛି । ଅପରପକ୍ଷେ ରାମଲାଲ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିବାରୁ କୁଚିଣ୍ଡାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ହତ୍ୟାକାଣ୍ଡ ଘଟଣାକୁ ଚପାଇ ଦେବାକୁ ଅପଚେଷ୍ଟା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ଏପରିକି ଗୁଡ୍ଡୁ ମୃତଦେହର ବ୍ୟବଛେଦ ସମୟରେ ଏହି ଗୋଷ୍ଠୀର କିଛି ସଦସ୍ୟ କୁଚିଣ୍ଡା ଡାକ୍ତରଖାନାରେ ପଇଁତରା ମାରିବା ସହ ଗୁଡ୍ଡୁଙ୍କ ବିଧବା ପତ୍ନୀଙ୍କୁ ବୁଝାସୁଝା କରାଉଥିବା ଦେଖିବାକୁ ମିଳିଛି। କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାଶଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୋଗ ପରେ ରାମଲାଲକୁ ଗିରଫ କରାଯାଇଛି ଏବଂ ଶରୀର ଅସୁସ୍ଥତା ଯୋଗୁଁ ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କହିଛନ୍ତି । ବର୍ତମାନର ସରକାରରେ ଗୋଟିଏ ଗରିବ ଅସହାୟ ବିଧବା ମହିଳାଙ୍କୁ ପୋଲିସ ସଠିକ୍ ନ୍ୟାୟ ଦେବ ନା ବଡ ବଡ଼ିଆ ତଥା ରାଜନୈତିକ ଚାପରେ ତଦନ୍ତ ବାଟବଣା ହେବ ସେନେଇ ମୃତକଙ୍କ ପରିବାର ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ