ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଳା ତିହିଡ଼ି ବ୍ଲକ ଅଧୀନ ସିନେ୍ଦାଳ ଓ ମଙ୍ଗଳପୁର ପଂଚାୟତ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଚଳ ଚଂଚଳ ହୋଇ ଉଠିଛି । ରବିବାର ଲକ୍ଷ୍ମୀନାରାୟଣଙ୍କ ପୂଜାବିଧି ଆରମ୍ଭ ହୋଇ ଅଧିବାସ କାର୍ଯ୍ୟ ସମାପନ କରାଯାଇଛି । ସୋମବାର କଳସବୁଡ଼ା ସାହିତ ନେତ୍ରପଣା ଓ ଭୋଗ ଇତ୍ୟାଦି ଯଥାରୀତିରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ । ସିନ୍ଦୋଳ ନୂଆପାଟଣା ଗ୍ରାମରେ ୧୯୨୨ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଲକ୍ଷ୍ମୀନାରାୟଣ ପୂଜା ମଧ୍ୟ ଚଳିତ ବର୍ଷ ୧୦୪ ବର୍ଷରେ ପଦାର୍ପଣ କରିଛି । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଏଠାରେ ସମସ୍ତ ରୀତିନୀତି ଅନୁସାରେ ୭ଦିନ ଧରି ବାର୍ଷିକ ପୂଜା ଉତ୍ସବ ପାଳିତ ହେବ । ଶହ ଶହ ଆବାଳ ବୃଦ୍ଧ ବନିତାଙ୍କ ବିଜେ କଳସ ଆଗରେ ଛେରା ପହଁରା ଏଠାରେ ଯେତିକି ଚର୍ଚ୍ଚିିତ ତା’ଠାରୁ ଅଧିକ ଚର୍ଚ୍ଚିତ ହୁଏ ନେତ୍ରୋତ୍ସବରେ ନେତ୍ରପଣା ଭୋଗ ପାଇଁ ହଜାର ହଜାର ଲୋକଙ୍କ ଲମ୍ବା ଧାଡ଼ି । ସିନ୍ଦୋଳ ନୂଆପାଟଣା ଗାଁର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସ, ସ୍ୱର୍ଗତ ବଟକୃଷ୍ଣ ଦାସ ପିଲାବେଳେ ଧୂଳି ବାଲିରେ ଖେଳୁ ଖେଳୁ କୌତୁହଳ ସ୍ୱରୂପ କାଦୁଅରେ ଅଧାଗଢ଼ା ମୂର୍ତିଟିଏ ତିଆରି କରିଦେଇ ଖେଳି ସାରିବା ପରେ ଯେ ଯାହା ଘରକୁ ଚାଲିଯାଇଥିଲେ । ସେହିଦନି ରାତିରେ ବାବା ନାରାୟଣଙ୍କ ସ୍ୱପ୍ନାଦେଶ ହେବାରୁ ଗ୍ରାମର ସ୍ୱର୍ଗତ ତଉଲି ଦାସ, ସ୍ୱର୍ଗତ ବୁଦ୍ଧିରାମ ବାରିକ, ସ୍ୱର୍ଗତ କୃପାସିନ୍ଧୁ ସାହୁ, ସ୍ୱର୍ଗତ ଭଗବାନ ବାରିକ, ସ୍ୱର୍ଗତ ପଦନ ବାରିକ ପ୍ରମୁଖଙ୍କ ଉଦ୍ୟମରେ ୧୯୨୨ ମସିହାରେ ଏକ ଅସ୍ଥାୟୀ ମାଟି ମନ୍ଦିର ତିଆରି ହୋଇ ପୂଜା କରାଯାଉଥିଲା । ପରବର୍ତୀ ସମୟରେ ଏଠାରେ ମନ୍ଦିର ନିର୍ମାଣ କରାଯାଇ ବହୁ ଆଡ଼ମ୍ବରରେ ପୂଜା କରାଯାଉଛି । ସେହିପରି ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ଠାରେ ଲକ୍ଷ୍ମୀନାରାୟଣଙ୍କ ପୂଜା ଚଳିତ ବର୍ଷ ୫୧ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ଏହା ଅନ୍ୟବର୍ଷ ଭଳି ଯାକଜମକରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ମନ୍ଦିର ତଥା ମନ୍ଦିର ପରିସରକୁ ସୁସଜ୍ଜିତ କରାଯାଇଛି । ରବିବାର ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ସୋମବାର କଳସ ଶୋଭାଯାତ୍ରା, ଛେରା ପହଁରା, ନେତ୍ରପଣା କାର୍ଯ୍ୟ ସମ୍ପନ୍ନ ହେବ ଓ ୧୧ ତାରିଖ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହେବ ବୋଲି ସୂଚନା ଦିଆଯାଇଛି । ଏହି ଲକ୍ଷ୍ମୀନାରାୟଣ ପୂଜା ୧୯୭୫ ମସିହାରୁ ପାଳନ ହୋଇ ଆସୁଛି । ସୂର୍ଯ୍ୟମଣି ନାୟକ, ଭାଗିରଥି ବାରିକ, ବେଣୁଧର ସ୍ୱାଇଁ, ଦିବାକର ବାରିକ, କାହ୍ୁୂ ଚରଣ ଦାସ, ବିକ୍ରମ ମଲ୍ଲିକ, ଜନାର୍ଦ୍ଦନ ସେନାପତି, ହାଡ଼ିବନ୍ଧୁ ଦାସ, ଗୋପାଳ ଦାସ, ଦୁର୍ଯ୍ୟୋଧନ ସେନାପତି, ମାଗୁଣୀ ଚରଣ ପରିଡ଼ା, ଦୁଃଶାସନ କାଣ୍ଡି, ଧନେଶ୍ୱର ପାଣିଙ୍କ ଉଦ୍ୟମରେ ପୂଜା ଏଠାରେ ଆରମ୍ଭ ହୋଇଥିଲା ।ସାର୍ବଜନନୀ ଲକ୍ଷ୍ମୀନାରାୟଣ ପୂଜା । ଏବେ ଏଠାରେ ସିନ୍ଦୋଳ ଗ୍ରାମବାସୀଙ୍କ ଉଦ୍ୟମ ତଥା ପଂଚାୟତ ବାସୀଙ୍କ ସହଯୋଗରେ ପ୍ରସ୍ତର ମନ୍ଦିର ଓ ମାର୍ବଲ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଅପରପକ୍ଷେ ୧୯୯୭ରେ ଏଠାରେ ପଥର ମନ୍ଦିର ନିର୍ମାଣ ଆରମ୍ଭ ହୋଇ୨୦୦୫ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ମନ୍ଦିରରେ ଏବେ ନାରାୟଣ, ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କର ମାର୍ବଲର ବିଗ୍ରହ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ସେହିପରି କନାଟିଆ ଗ୍ରାମରେ ସ୍ୱର୍ଗତ ଗୋଲକ ପ୍ରସାଦ ଲେଙ୍କାଙ୍କ ବ୍ୟକ୍ତିଗତ ଉଦ୍ୟମରେ ୧୯୬୫ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀନାରାୟଣ ପୂଜା ଜାକଯମକରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ