ଭୁବନେଶ୍ୱର, 5 ଅକ୍ଟୋବର (ହି.ସ.) ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶଗସ୍ତରେ ଯିବେ । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି ଦେଶ ସଭ୍ୟ ଭାବେ ରହିଥିବାବେଳେ ଭାରତ ଏହା ମଧ୍ୟରୁ ଅନ୍ୟତମ ସର୍ବବୃହତ୍ତମ ରାଷ୍ଟ୍ର । ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ଏହି ସମ୍ମିଳନୀରେ ଯୋଗଦେଉଛନ୍ତି ।
ବାଚସ୍ପତିଙ୍କ ସୂଚନା ଅନୁଯାୟୀ ସେ ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଲଣ୍ଡନ ଦେଇ ଅକ୍ଟୋବର ୬ ତାରିଖ ଦିନ ବାର୍ବାଡୋସ୍ରେ ପହଞ୍ଚିବେ । ଅକ୍ଟୋବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍ର ରାଜଧାନୀ ବି୍ରଜ୍ଟାଉନ୍ଠାରେ ଅବସ୍ଥାନ କରିବା ସହ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ବକ୍ତବ୍ୟ ରଖିବେ ।
ପ୍ରଥମେ ଅକ୍ଟୋବର ୭ ତାରିଖ ଦିନ ବାଚସ୍ପତି ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅକେଫାବର ୮ ତାରିଖ ଦିନ ‘ରାଜ୍ୟଗୋଷ୍ଠୀ: ଏକ ବୈଶ୍ୱିକ ସହଭାଗୀ’ ଓ ‘ବେଜିଂ ଣ୍ଟ୩୦ ପରଠାରୁ ସଂସଦ: ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ଓ ‘ଗଣତନ୍ତ୍ରର ସମର୍ଥନ ପାଇଁ ଆମ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ’ ଉପରେ ବାଚସ୍ପତି ନିଜର ଆଭିମୁଖ୍ୟ ରଖିବେ । ଏଥି ସହିତ ‘ରାଜନୀତିରେ ଭିନ୍ନକ୍ଷମ ମହିଳାଙ୍କ ଅଂଶଗ୍ରହଣ ପାଇଁ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା’ ଆଲୋଚନାରେ ମଧ୍ୟ ମାନ୍ୟବର ବାଚସ୍ପତି ନିଜର ମତ ଉପସ୍ଥାପନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ