ମାଲକାନଗିରି, ୫ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି - ୪୧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଦୁଇ ନାବାଳିକା ଅପହରଣ ହୋଇଥିବାର ୩ ଦିନ ପରେ କୋଇମେଟଲା ପଞ୍ଚାୟତ ଏମପିଭି - ୩୩ ଗ୍ରାମରୁ ଉଦ୍ଧାର କଲେ ପରିବାର ଲୋକେ ।
ସୂଚନା ମୁତାବକ, ଏମଭି - ୪୧ ଗ୍ରାମର ସପନ ମଣ୍ଡଳଙ୍କ ୧୪ ବର୍ଷର ଝିଅ ଏବଂ ଭାଇ ରମେଶ ମଣ୍ଡଳଙ୍କ ୧୩ ବର୍ଷର ଝିଅ ଗତ ବୁଧବାର ଦିନ ରାତିରୁ ଘରୁ ନିଖୋଜ ହୋଇଯାଇଥିଲେ । ନିଖୋଜ ହେବାର ୩ ଦିନ ଧରି ପରିବାର ଲୋକ ବହୁ ଖୋଜା ଖୋଜି ପରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ତେବେ ନିଖୋଜ ହେବାର ୩ ଦିନ ପରେ ଏମପିଭି - ୩୩ ଗ୍ରାମରୁ ଦୁଇ ନାବାଳିକା ଉଦ୍ଧାର ହେବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ପକ୍ଷରୁ ଏହି ଘଟଣାରେ ସମ୍ପୃକ୍ତ ଏମପିଭି - ୩୩ ଗ୍ରାମର ଦୁଇ ଯୁବକ ବିକ୍ରମ ହାଲଦାର ( ୨୨ ) ଏବଂ ବିକ୍ରମ ରାୟ ( ୨୩ ) ଙ୍କୁ ଉଠାଇ ପଚରାଉଚରା କରୁଥିବା ଜଣାପଡ଼ିଛି । ସମ୍ପୃକ୍ତ ଯୁବକ ମାନେ ଏହି ଦୁଇ ଭଉଣୀକୁ ଅପହରଣ କରି ଛତିଶଗଡ ରାଜ୍ୟ ଜଗଦଳପୁର ନେଇ ରଖିଥିଲେ। ତେବେ ଦୁଇ ନାବାଳିକାଙ୍କୁ ଅପହରଣ ପଛରେ କ'ଣ ରହସ୍ୟ ରହିଛି ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ପାରି ନାହିଁ । ଅନ୍ୟପଟେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାର ଉଚିତ ତଦନ୍ତ କରି ତୁରନ୍ତ ଦୋଷୀକୁ ଗିରଫ କରିବାକୁ ପରିବାର ବର୍ଗ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ