ମାଲକାନଗିରି, ୫ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ତଙ୍ଗଗୁଡା ଦୁର୍ଘଟଣାରେ ଗଲାଣି ୨ ଜଣଙ୍କ ଜୀବନ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। ଉତ୍ୟକ୍ତ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ସକାଳ ୬ଟା ରୁ ୧୦ ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଜୟପୁର -ମାଲକାନଗିରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ସୂଚନା ମୁତାବକ, ବ୍ରେକ ଡାଉନ ହୋଇ ରାସ୍ତା ଉପରେ ଗତ ଦୁଇଦିନ ହେଲା ଟ୍ରକଟିଏ ଠିଆ ହୋଇଥିଲା । ସେହି ଟ୍ରକରେ ପିଟି ହୋଇ ପ୍ରଥମ ଦିନରେ ୨ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ଆହତମାନେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୁଣି ଶନିବାର ବିଳମ୍ବିତ ରାତ୍ରରେ ସେହି ଟ୍ରକରେ ଆଉ ଗୋଟିଏ ବାଇକ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ସକାଳେ ରାସ୍ତାରୋକ କରାଯାଇଥିଲା। ୩୨୬ ନଂ ଜାତୀୟ ରାଜପଥରେ ଧାରଣା ଦିଆଯାଇଥିବାରୁ ଜୟପୁର ମାଲକାନଗିରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅପରପକ୍ଷରେ ଘଟଣାସ୍ଥଳରେ ମାଲକାନଗିରି ଏସଡିପିଓ ଦିବ୍ୟ ରଞ୍ଜନ ଦଳେଇ, ମାଥିଲି ତହସିଲଦାର ମାନସୀ ଭୋଇ, ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ଏହାପରେ ସ୍ଵାଭାବିକ ଭାବେ ଯାନବାହାନ ଚଳପ୍ରଚଳ ଆରମ୍ଭ ହୋଇଛି। ଟ୍ରକଟିରେ ଓଜନିଆ ଲୁହାପଥର ବୋଝେଇ ହୋଇଥିବାରୁ ଗାଡିକୁ ହଟାଯାଇ ପାରୁନଥିବା ସୂଚନା ରହିଛି । ଗତକାଲି ରାତ୍ରରେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ମାଲକାନଗିରି ଥାନା ସିନ୍ଧ୍ରିମାଳ ପଞ୍ଚାୟତ କଂଗଡ଼ି ଗ୍ରାମର ଭୀମ ଖିଲ ଓ ସୁକୁ ଖିଲ। ପୁଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ଏକା ସାଙ୍ଗରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିବାରୁ କଂଗଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ