ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏ ବୈଠକର ଅଧ୍ୟକ୍ଷତା କରି ୭ ଦିନ ଧରି ପାଳିତ ହେବାକୁ ଥିବା ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମେଳାରେ ଅଧିକ ଜନସମାବେଶ ହେତୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରାଯାଇଥିଲେ ମଧ୍ୟ ପର୍ବ ପାଳନରେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ପୁଲିସ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ତେବେ ଏଥର ପୂର୍ବ ପରମ୍ପରା ଅନୁଯାୟୀ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି ଐତିହାସିକ ମେଳା ଅନୁଷ୍ଠିତ ହେବ ବୋଲି ଏସ୍ପି ଶ୍ରୀ ରାଉତ ବୈଠକରେ ସୂଚନା ଦେଇଥିଲେ। ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର (ବିଚାର ବିଭାଗ) କାର୍ତିକନାଥ ମଣ୍ଡଳ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କ ସମେତ ପୂର୍ତ, ଗ୍ରାମୀଣ ଉନ୍ନୟନ, ଜଳ ପରିମଳ ଓ ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ବୈଠକରେ ଉପସ୍ଥିତ ଥିବା ୯ଟି ପୂଜା କମିଟିର ପ୍ରମୁଖ ମାନେ ସେମାନଙ୍କ ପୂଜା ମଣ୍ଡପର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟତଃ ଦୂରାବସ୍ଥା ଅବସ୍ଥାରେ ଥିବା ରାସ୍ତାଘାଟର ମରାମତି, ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା, ପାନୀୟ ଜଳଯୋଗାଣ ଓ ମେଢ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ ଉପରେ କମିଟିର ସଦସ୍ୟମାନେ ଆଲୋକପାତ କରିଥିଲେ। ଏହାବ୍ୟତୀତ ଟ୍ରାଫିକ୍ ସମସ୍ୟା, ମେଳାରେ ପଡୁଥିବା ଖାଦ୍ୟ ସାମଗ୍ରୀର ଯାଂଚ, ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟାର ସମାଧାନ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଗୁଡିକରେ ସିସିଟିଭି୍ କ୍ୟାମେରା ଲଗାଇ ପୁଲିସ୍ କେଂଟ୍ରାଲ ରୁମ୍ ସହ ସଂଯୋଗ ସ୍ଥାପନା କରିବାକୁ କୁହାଯାଇଥିଲା। ଏହାବ୍ୟତୀତ ସମ୍ଭାବ୍ୟ ବିଦ୍ୟୁତ୍ ସଂଯୋଗ ଛିନ୍ନକୁ ରୋକିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଡିଜିର ବ୍ୟବସ୍ଥା କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। କାଳୀପୂଜା ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାନଯିବାକୁ ଏସ୍ପି ଶ୍ରୀ ରାଉତ ଗୁରୁତ୍ୱ ଦେଇଥିଲେ। ଯଦି ଏହାର ବ୍ୟତିକ୍ରମ ହୁଏ, ତେବେ ପୁଲିସ୍ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଥିଲେ। ଏଥିପାଇଁ ଏକ ୨୪ ଘଂଟିଆ ସୋସିଆଲ ମିଡିଆ ସେଲ୍ କରାଯାଇଛି। ତେବେ ପୂର୍ବବର୍ଷ କାଳୀପୂଜା ପର୍ବ ପାଳନରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲା ଓ ଜିଲା ବାହାରୁ ଅଧିକ ପୁଲିସ୍ ଫୋର୍ସ ସହ ଅଧିକ ସଂଖ୍ୟାରେ ଅଫିସରଙ୍କୁ ମୁତୟନ କରାଯାଇ ମୁଖ୍ୟତଃ ଟ୍ରାଫିକ୍ ନିୟନ୍ତ୍ରଣ ଓ ଯାତ୍ରୀ ସମାବେଶକୁ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ଜାରି ରଖିଛୁ ବୋଲି ଏସ୍ପି ଶ୍ରୀ ରାଉତ କହିଛନ୍ତି। ତେବେ ଆସନ୍ତା ୨୧ ରୁ ଆରମ୍ଭ ହୋଇ ୨୮ ତାରିଖ ସକାଳେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ମା’ଙ୍କ ବିସର୍ଜନ ପାଇଁ ପ୍ରଶାସନ ତରଫରୁ ଚଳିତବର୍ଷ ଡଗରାସାହି କେନାଲ ରୋଡ୍ ଓ ଛପୁଲିଆ ଠାରେ ୨ ଗୋଟି କୃତ୍ରିମ ଜଳାଶୟ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି। ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କର ପ୍ରମୁଖ କର୍ମକର୍ତା ସହ ହିନ୍ଦୁ ସୁରକ୍ଷା ସମିତିର ପ୍ରମୁଖ ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ଅତିଶ ବେହେରା, ମୁସଲିମ୍ ଜମାତର ନୌସାଦ, ସେକ୍ ରାଜୁ, ସେକ୍ ଉମର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ