ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଦୀର୍ଘବର୍ଷ ଧରି ଭଦ୍ରକ-ଚାନ୍ଦବାଲି ରୋଡ୍ର ସରକାର ନଗର ଠାରେ ସରକାରୀ ଜାଗାରେ ଥିବା ଦ୍ୱିତାଲା ବିଶାଳ ମାର୍କେଟ କମ୍ପେ୍ଲକ୍ସକୁ ଆଜି ପ୍ରଶାସନ ଭାଙ୍ଗିଦେଇଛି। ଏ ନେଇ ଜନସାଧାରଣଙ୍କ ପକ୍ଷରୁ ସବୁ ମହଲରେ ଜିଲା ପ୍ରଶାସନକୁ ସ୍ୱାଗତ କରାଯାଇଛି। ତେବେ କିଛି ନ୍ୟସ୍ତସ୍ୱାର୍ଥ ସଂପନ୍ନ ବ୍ୟକ୍ତି ପ୍ରଶାସନର ଏହି ପଦକ୍ଷେପକୁ ଥଇଥାନ ଆଳରେ ବିରୋଧ କରିଛନ୍ତି। ଏହି ଉଚ୍ଛେଦ ସ୍ଥାନରେ ଥିବା ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କ କହିବା ଅନୁଯାୟୀ ନୟନଯୋରୀ ସ୍ଥାନରେ ଥିବା ଏହି ଦ୍ୱିତଳ ମାର୍କେଟ୍ କମ୍ପେ୍ଲକ୍ସକୁ ସେକ୍ ବବି ଓ ସେକ୍ ମୋବାରକ ନାମକ ଦୁଇଜଣ ବ୍ୟକ୍ତି ଦୀର୍ଘବର୍ଷ ହେବ ନିର୍ମାଣ କରି ବିପୁଳ ଅର୍ଥ ରୋଜଗାର କରିଆସୁଥିଲେ। ଯଦି ସରକାରଙ୍କ ତରଫରୁ ଏହି ମାର୍କେଟ୍ କମ୍ଲେକ୍ସର ଭଡା ବାବଦରେ ଅର୍ଥ ଆଦାୟ ହୋଇଥାଆନ୍ତା, ତେବେ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ରାଜସ୍ୱ ପାଣ୍ଠି ବୃଦ୍ଧି ପାଇଥାନ୍ତା। ସେ ଆହୁରି କହିଲେ ଯେ ଉଚ୍ଛେଦ ପ୍ରକ୍ରିୟା ନହେଲେ ସହରର ସୌନ୍ଦର୍ଯ୍ୟକରଣ ହୋଇପାରିବ ନାହିଁ। ସହରକୁ ଆମେ ଯେତେ ସରସ ସୁନ୍ଦର କରିବାକୁ ଚାହୁଁଛୁ, ୮୦ ପ୍ରତିଶତ ଲୋକ ସ୍ୱାଗତ କରୁଥିବାବେଳେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ଧନୀ ହେଉ କି ଗରିବ ହେଉ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ହେଉ, ଯେଉଁମାନେ ସରକାରୀ ଜାଗା ଜବରଦଖଲ କରିଆସିଛନ୍ତି, ସେମାନଙ୍କୁ ଉଚ୍ଛେଦ କରାଯିବ, ଏଥିରେ ସନ୍ଦେହ ନାହିଁ। ସେ ପୁଣି କହିଛନ୍ତି ଯେ ଯଦି ସରକାରୀ ଜାଗାରେ ବେଆଇନ୍ ଜବରଦଖଲକୁ ପ୍ରୋତ୍ସାହନ ଦିଆଯାଏ, ତେବେ ସହରାଂଚଳରେ ଜବରଦଖଲ ସଂଖ୍ୟା ବୃଦ୍ଧି ପାଇବ। ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ ହେବା ସହ ରାସ୍ତାଘାଟ ସଂକୁଚିତ ହୋଇପଡିବ। ଏଣୁ ସମସ୍ତ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ବିଧିବଦ୍ଧ ଏକ ପ୍ଲାନ୍ ପ୍ରସ୍ତୁତ କରାଯାଇ ସହରକୁ ଏକ ସ୍ମାର୍ଟ ସିଟି କରାଯିବା ପାଇଁ ପ୍ରଶାସନର ପ୍ରୟାସ ରହିଛି ବୋଲି ତହସିଲଦାର ଶ୍ରୀ ଖୁଂଟିଆ କହିଥିଲେ। ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଉପସ୍ଥିତ ଥିବାବେଳେ ଏକ ପ୍ଲାଟୁନ୍ ପୁଲିସ୍ ମୁତୟନ ଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ