ସମ୍ବଲପୁର, ୦୮ ଅକ୍ଟୋବର(ହି.ସ.) – ଆଜି ସମ୍ବଲପୁରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ରେଳବାଇ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା' ଅଧୀନରେ ୭୭୫ ଜଣ ତୀର୍ଥଯାତ୍ରୀ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଏକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍କୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଶୁଭ ଅବସରରେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଉତରାଂଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପରିଚାଳକ ସୁବାସ ଚନ୍ଦ୍ର ଚଉଧୁରୀ ପ୍ରମୁଖ ମଂଚାସୀନ ଥିଲେ। ମନ୍ତ୍ରୀ ରବିନାରାୟଣ ନାଏକ ନିଜ ଅଭିଭାଷଣରେ 'ଆଜି ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇଛନ୍ତି ବୋଲି ସୂଚନା ଜଣାଇ ସମସ୍ତଙ୍କର ସଫଳ ଏବଂ ମଙ୍ଗଳ ଯାତ୍ରାର କାମନା କରିଥିଲେ। ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ରାଜ୍ୟରେ ଆର୍ôଥକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନେ ଯେଉଁମାନେ ତୀର୍ଥଯାତ୍ରା କରି ପାରୁନାହାନ୍ତି ସେମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରି, ନିଜ ପୁତ୍ର ପୁତ୍ରୀର ଦାୟିତ୍ୱ ବହନ କରିଛନ୍ତି ବୋଲି କହିଥିଲେ। ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରି ସେମାନଙ୍କର ରହଣୀ, ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ବ୍ୟବସ୍ଥା, ଭୋଜନ, ସନ୍ଧ୍ୟା ଜଳଖିଆ ଇତ୍ୟାଦି ସମସ୍ତ ସୁବିଧା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି ବୋଲି କହିଥିଲେ। ମୁଖ୍ୟତଃ ସମସ୍ତଙ୍କ ଯାତ୍ରା ସୁଖମୟ ହେଉ ବୋଲି ପ୍ରଭୁଙ୍କ ଠାରେ ସେ କାମନା କରିବା ସହିତ ସାଥିରେ ଯାଉଥିବା ଏସ୍କର୍ଟ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ସଚେତନ କରାଇଥିଲେ।
ସୂଚନାନୁଯାୟୀ ଏହି ଯୋଜନା ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ରେ ସମ୍ବଲପୁର ଜିଲ୍ଲାରୁ ମୋଟ୍ ୮୯ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସୁବର୍ଣ୍ଣପୁରରୁ ୫୨ ଜଣ, ଦେଓଗଡ଼ରୁ ୨୭ ଜଣ, ଅନୁଗୁଳରୁ ୧୦୯ ଜଣ, ଝାରସୁଗୁଡ଼ାରୁ ୫୦ ଜଣ, ସୁନ୍ଦରଗଡ଼ରୁ ୧୮୦ ଜଣ, ବଲାଙ୍ଗୀରରୁ ୧୪୧ ଜଣ ଓ ବରଗଡରୁ ୧୨୭ ଜଣ ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ଯାତ୍ରୀ ଅଯୋଧ୍ୟା ଓ ବାରଣାସୀ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି। ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଏବଂ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି ଏହା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ଏକ ଡାକ୍ତରୀ ଟିମ ଏବଂ ୨୫ ଜଣ ଏସ୍କର୍ଟ୍ ଅଧିକାରୀ ଏହି ଟ୍ରେନ୍ ରେ ଯାତ୍ରା କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚୀତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ