ବଲାଙ୍ଗିର, 8 ଅକ୍ଟୋବର (ହି.ସ.)
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ସହରର ପଦ୍ମନାଭପୁର ଯାହାକି କଟକିଆ ପଡ଼ା ବୋଲି ଲୋକେ ଜାଣନ୍ତି, ସେଠାରେ ୪୮ତମ ଗଜଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ହୋଇ ଯାଇଛି । ସକାଳୁ ପୂଜାର୍ଚ୍ଚନା ସରିବା ପରେ ସ୍ଥାନୀୟ ମହିଳାମାନେ ମା’ ଲକ୍ଷ୍ମୀ ପୁରାଣ ପଠନ କରିଥିଲେ । ସନ୍ଧ୍ୟାରେ ପ୍ରତ୍ୟେକ ଦିନ ଆଳତି ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ପୂଜକ ଭାବେ ଶରତ କୁମାର ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ସହଯୋଗ କରୁଥିଲେ ପୂଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ । କର୍ତ୍ତା ଭାବେ ଚିତ୍ତରଞ୍ଜନ ସାହୁ ଏବଂ ସପତ୍ନି ଲୋପାମୁଦ୍ରା ସାହୁ ପୂଜାରେ ବସିଥିଲେ । ଚଳିତ ବର୍ଷ ସଭାପତି ଭାବରେ ମାନସ ସାହୁ, ସମ୍ପାଦକ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ଅନନ୍ତ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପଡ଼ାର ଅନ୍ୟାନ୍ୟ ସଦସ୍ୟ ଆୟୋଜନ କରିବାରେ ସହଯୋଗ କରୁଛନ୍ତି । ତେବେ ବୁଧବାର ବଡ ଆଳତି ହେବ ଏବଂ ଶୁକ୍ରବାର ଦିନ ପୂର୍ଣ୍ଣାହୁତି, ଘଟ ବିସର୍ଜନ ଓ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ମାନସ ସାହୁ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ