



ସମ୍ବଲପୁର, ୧୨ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ସହାୟକ ସଂସ୍ଥା ଭାବରେ ବାମରାରାରେ କାର୍ଯ୍ଯରତ ଆଓ୍ବାର୍ଡ ଏନଜିଓକୁ ପଞ୍ଜୀକୃତ କରାଯାଇଛି। ଏହାସହ ବାମରା ବ୍ଲକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ମାଣ୍ଡିଆ ଚାଷ ଦାୟିତ୍ୱ ଆଓ୍ବାର୍ଡ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି। ବାମରା ବ୍ଲକ ପାଇଁ ୩୫୦ ହେକ୍ଟର ମାଣ୍ଡିଆ, ବାଜରା ଚାଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଯେହେତୁ ବାମରା ବ୍ଲକରେ ଜଳସେଚନର ସୁବିଧା ନାହିଁ, ମାଟି ଏବଂ ଜଳବାୟୁକୁ ଦେଖି ଏହି ବ୍ଲକ ମାଣ୍ଡିଆ ଏବଂ ବାଜରା ଆଦି ଫସଲ ପାଇଁ ଉପଯୁକ୍ତ ବୋଲି ଚୟନ ହୋଇଥିଲା । ବାମରାର ଅଗ୍ରଣୀ ଏନଜିଓ ଭାବେ କାର୍ଯ୍ଯ କରୁଥିବା ଆଓ୍ବାର୍ଡ ପକ୍ଷରୁ ବ୍ଲକ୍ ରେ ଧାର୍ଯ୍ୟ ପରିମାଣରେ ମାଣ୍ଡିଆ ଚାଷ ପାଇଁ ଚାଷୀ ଚିହ୍ନଟ କରାଯାଇ ବିହନ ଏବଂ ତାଲିମ ପ୍ରଦାନ କରାଯାଇଥିଲା। ହେଲେ ବର୍ତ୍ତମାନ ମାଣ୍ଡିଆ ଉତ୍ପାଦନ ସମୟ ପହଞ୍ଚି ଥିବା ବେଳେ ଆଓ୍ବାର୍ଡ ଦ୍ୱାରା ଦାଖଲ କରାଯାଇଥିବା ଚୂଡ଼ାନ୍ତ ଚାଷୀ ତାଲିକାରେ ବଡ଼ ଧରଣର ଜାଲିଆତି ସାମନାକୁ ଆସିଛି। ଯେଉଁ ଚାଷୀ ମାନେ ମାଣ୍ଡିଆ ଚାଷ ଆଦୈ। କରିନାହାନ୍ତି ସେମାନଙ୍କୁ ମଧ୍ୟ ଏହି ତାଲିକାରେ ଚାଷୀ ଭାବରେ ଦର୍ଶାଯାଇଛି। ଜାଲିଆତି ଅଭିଯୋଗ ହେବା ଓ ଜିଲ୍ଲା କୃଷି ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟ ପକ୍ଷରେ ନକଲି ଚାଷୀଙ୍କ ତାଲିକା ନେଇ କୃଷି ବିଭାଗ ପକ୍ଷରୁ ଆଓ୍ବାର୍ଡ ଉପରେ ପ୍ରଶ୍ନ ଉଠାଯାଇଥିବା ବେଳେ ସଂସ୍ଥା ପକ୍ଷରୁ ପ୍ରକୃତ ଚାଷୀ ମାନଙ୍କ ତାଲିକା ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇନଥିବା ଜଣାପଡିଛି। ଅମଳ ଆରମ୍ଭ ହୋଇସାରିଥିବା ବେଳେ ନଭେମ୍ବର ଶେଷ ସୁଦ୍ଧା କ୍ଷେତରେ କୌଣସି ଫସଲ ରହିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଚାଷୀମାନେ କରିଥିବା ଫସଲ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପାଇବା ପାଇଁ ଯୋଗ୍ୟ । ଏହାସହ ସରକାରୀ ସଂସ୍ଥା ଟିଡିସିସିଓଏଲ ଦ୍ୱାରା ଉତ୍ପାଦିତ ଫସଲ କ୍ରୟ କରାଯିବାର ବ୍ୟବସ୍ଥା ମଧ୍ୟ ସ୍ଥିରୀକୃତ ହୋଇସାରିଛି।
ଆଓ୍ବାର୍ଡ ଏନଜିଓ ଜାଣିଶୁଣି ଫସଲ ପରିମାଣ ସହ ଚାଷୀ ମାନଙ୍କ ନାମକୁ ହେରଫେର କରିଥିବା ଅଭିଯୋଗ ହୋଇଛି । ଯାହାଦ୍ବାରା ନକଲି ଚାଷୀମାନଙ୍କ ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ଚଳୁ କରିଦେବା ଷଡ଼ଯନ୍ତ୍ରରେ ଗୋଟିଏ ରାକେଟ୍ ବେଶ୍ ସକ୍ରିୟ ହୋଇଉଠିଥିବା ଆଶଙ୍କା କରାଯାଇଛି । ଯାହାଦ୍ବାରା ବାମରା ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ଜରିଆରେ ସରକାର ରଖିଥିବା ଲକ୍ଷ୍ୟ ପୂରଣରେ ବାଧା ସୃଷ୍ଟି କରାଇଛି। ଅପରପକ୍ଷରେ
ଆଓ୍ବାର୍ଡ ଏନଜିଓ ପକ୍ଷରୁ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରୁଥିବା ବ୍ଲକ ସଂଯୋଜିକା ଦମୟନ୍ତୀ ନାଏକଙ୍କ କାର୍ଯ୍ୟଧାରା ଅନ୍ଯନ୍ତ ସନ୍ଦେହ ଜନକ ରହିଛି। ସରକାରୀ ସ୍ତରରେ ଯାଞ୍ଚ୍ ହେବା ଆଶଙ୍କାରେ ସେ ବାମରା ବ୍ଲକରେ ପ୍ରକୃତ ଚାଷୀ ମାନଙ୍କ ତାଲିକା ବାରମ୍ବାର ପରିବର୍ତ୍ତନ କରିବାରେ ବ୍ୟସ୍ତ ରହୁଛନ୍ତି। ଏପରିକି ତାଙ୍କ ଦ୍ଵାରା ଦିଆଯାଇଥିବା ଚାଷୀ ତାଲିକା ଏବଂ ଚାଷୀଙ୍କ ସହ କାମ କରୁଥିବା ସିଆରପି ମାନେ ପ୍ରଦାନ କରିଥିବା ଚାଷୀ ତାଲିକାରେ କୌଣସି ତାଲମେଳ ରହୁନଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ କୃଷି ବିଭାଗ ତାଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଏବେ ବାମରା ବ୍ଲକର ଚାଷୀମାନଙ୍କ ସୁବିଧା ପାଇଁ କୃଷି ବିଭାଗ ପକ୍ଷରୁ ହୋଇଥିବା ଶ୍ରୀଅନ୍ନ ଅଭିଯାନରେ ଚାଷୀ ମାନଙ୍କ ତଥ୍ୟ ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିବାକୁ ପ୍ରକୃତ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ