
ରାଉରକେଲା, ୧୩ ନଭେମ୍ବର (ହି.ସ.)- ବନ୍ଧୁକ ମୁନରେ ଲୁଟ୍ । ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କୋଇଡ଼ା ଅଂଚଳରେ ଥିବା ଏକ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟେରା ପଶି ସିସି କ୍ୟାମେରା ସମ୍ମୁଖରେ ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଧମକ ଚମକ ଦେଖାଇ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନିକଟସ୍ଥ ଲହୁଣୀପଡା ଥାନାରେ କମ୍ପାନୀ ପକ୍ଷରୁ ଏତଲା କରାଯାଇଛି ।
ସୂଚନା ଅନୁଯାୟୀ, ରାଉରକେଲା ପୋଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୦୦ କି.ମି. ଦୂରରେ ଥିବା କୋଇଡ଼ା ଅଂଚଳରେ ଅନେକ ଖଣି ଖାଦାନ ଓ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ରହିଛି । ସେଠାରେ କୋଇଡ଼ାର ଏକ ଥାନା ରହିଥିବା ବେଳେ ବଣେଇ ଉପଖଣ୍ଡ ଏସଡିପିଓ ଏହାକୁ ତଦାରଖ କରିଥାନ୍ତି । କିନ୍ତୁ, ବିଗତ କିଛି ମାସ ଧରି ଦେଖାଯାଉଛି, ରାସ୍ତାରୁ ଟଙ୍କା ଲୁଟ୍ ଓ ଦାଦା ବଟି ଆଦାୟ ଭଳି କାର୍ଯ୍ୟାକଳାପ ବଢି ଚାଲିଛି । ଅନୁରୂପ ଘଟଣା କ୍ରମେ ଗତକାଲି ବିଳମ୍ବିତ ରାତିରେ ଲହୁଣୀପଡା ଥାନା ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଷ୍ଟେଶନ ସାଇଡିଂ ନିକଟରେ ଥିବା ବଜରଙ୍ଗ ଅଗ୍ରୱାଲଙ୍କ ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଲୁଟେରା ମାନେ ପଶି ଟଙ୍କା ଲୁଟ୍ କରିବା ସହ ସେଠାରେ ଆତଙ୍କ ସୃଷ୍ଟି କରିଛନ୍ତି । ଅପରାଧୀ ମାନେ ଏହି ଅପରାଧକୁ ଘଟାଇବାରେ ଏକ ସ୍କର୍ପିଓ ଗାଡି ବ୍ୟବହାର କରିଥିଲେ ଏବଂ ମୁହଁରେ ମୁଖା ପିନ୍ଧିଥିଲେ । ସେମାନେ ୫ରୁ ୬ ଜଣ ଥିଲେ । ସେମାନଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ବୋଲି ଅଭିଯୋଗ ହୋଇଛି । ଲୁଟେରାମାନେ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ମାଡ ମାରିଥିଲେ । ଧମକ ଚମକ ଦେଇ ବନ୍ଧୁକ ମୁନରେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଲହୁଣୀପଡା ଥାନାରେ ସିସିଟିଭି ଭିଡିଓ ପ୍ରମାଣ ସହ ଏତଲା ଦେଇଛନ୍ତି ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟର ପ୍ରବନ୍ଧକ ।
ଏଠାରେ ଉଲ୍ଲେଖଯୋଗ୍ୟ, ବଣେଇ ଉପଖଣ୍ଡ ସମସ୍ତ ଥାନା ଅଂଚଳରେ ବାରମ୍ବାର ଓ ଦୈନିକ ହେଉଥିବା ଡକାୟତି ପାଇଁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପୋଲିସକୁ ଲଗାତାର ଭାବେ ଦୁର୍ବୃତମାନେ ଚ୍ୟାଲେଞ୍ଜ ଦେଉଛନ୍ତି । ଏହାକୁ ରୋକିବା ପାଇଁ ନିୟମିତ ବିଳମ୍ବିତ ରାତି ଯାଏଁ ପାଟ୍ରୋଲିଂ କରିବାର ନିୟମ ଥିଲେ ସୁଦ୍ଧା ସମ୍ପୃକ୍ତ ଥାନା ପକ୍ଷରୁ ନିରବତା ଅବଲମ୍ବନ କରାଯାଉଥିବାରୁ ବର୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି କୋଇଡ଼ା ଓ ଟେନସା ଅଂଚଳ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ