
ଗଞ୍ଜାମ, ୧୩ ନଭେମ୍ବର (ହି.ସ.)- ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଲା କାର୍ । ଫଳରେ କାର୍ ରେ ଥିବା ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଗତକାଲି ରାତିରେ କାର୍ ଟି ବଡ଼ଆଗୁଳରୁ ଚିଙ୍ଗୁଡ଼ି ଘାଇ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ପୋଖରୀକୁ ଖସିପଡ଼ିଥିଲା । କାର୍ ରେ ୪ ଜଣ ବ୍ୟକ୍ତି ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତି ଯାଇଛନ୍ତି । ମୃତକ ଦୁଇ ଜଣ ହେଲେ ନୀଳାଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡ଼ିକାଲକୁ ଆଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସନ୍ତୋଷଙ୍କ ଘର ପୋଲସରା ହୋଇଥିବା ବେଳେ ନୀଳାଚଳଙ୍କ ଘର ଚିଙ୍ଗୁଡ଼ି ଘାଇ ଅଂଚଳରେ ବୋଲି ଜଣାପଡିଛି । ଉଭୟେ ସଂପର୍କରେ ଦୁଇ ଭାଇ । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି । ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କିପରି ଓ କେଉଁ ପରିସ୍ଥିତିରେ କାର୍ ଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ କରୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ