
ବଲାଙ୍ଗିର, ୧୩ ନଭେମ୍ବର (ହି.ସ.)- ଉପଖଣ୍ଡ ସରକାରୀ ଡାକ୍ତରଖାନା ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ଦୀର୍ଘଦିନ ଧରି ବନ୍ଦ ରହୁଥିବା ଯୋଗୁଁ ଚକ୍ଷୁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟରେ ପୂର୍ବରୁ ଅସ୍ତ୍ରୋପଚାର ସହ ଉତ୍ତମ ଚିକିତ୍ସା ଉପଲବ୍ଧ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ପଡୋଶୀ ଜିଲ୍ଲାର ଚକ୍ଷୁ ରୋଗୀ ମଧ୍ୟ ନିର୍ଭରଶୀଳ ଥିଲେ। ଗତ ୨୦୨୧ ମସିହାରୁ ଏଠାରେ ଅସ୍ତ୍ରୋପଚାର ସମ୍ପୂର୍ଣ ରୂପେ ବନ୍ଦ ରହିଛି । ଏପରିକି ଏହା ନିୟମିତ ବନ୍ଦ ରହୁଥିବା ଯୋଗୁଁ ସାଧାରଣ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମଧ୍ୟ ନୟାନ୍ତ ହେଉଥିବା ଦେଖିବାକୁ ମିଳିଛି। ଗତ ୨୦୧୮ ମସିହାରୁ ଏଲଟିଆରଏମଓ ଡ଼ାକ୍ତର ପ୍ରଣତି ସାହୁ ଚକ୍ଷୁ ବିଶେଷଜ୍ଞ ଦାୟିତ୍ୱରେ କାର୍ଯ୍ୟରତ ଥିବାବେଳେ ସେ କେବଳ ଓପିଡି ଡ୍ୟୁଟି କରୁଥିବା ଦେଖାଯାଇଛି । ଏପରିକି ସେ ଟିଟିଲାଗଡ ସହର ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ବେସରକାରୀ ଭାବରେ ଚାକିରି କରୁଥିବା ଓ ସେଠାରେ ନିୟମିତ ଡ୍ୟୁଟି କରୁଥିବା ନେଇ ଅଭିଯୋଗ ହୋଇଛି। କିଛିଦିନ ପୂର୍ବରୁ ଏଠାରେ କାର୍ଯ୍ୟରତ ଆଇ ଟେକ୍ନିସିଆନ ଅବସର ଗ୍ରହଣ କରିଥିବା ବେଳେ ମୂରିବାହାଲ ଚକ୍ଷୁ ସହାୟକ ଅରବିନ୍ଦ ଆଚାର୍ଯ୍ୟଙ୍କୁ ସପ୍ତାହକୁ ୨ ଦିନ ପାଇଁ ଏଠାରେ ଡ୍ୟୁଟି କରିବାକୁ ଏସଡିଏମଓ ବିଭାଗୀୟ ଆଦେଶ ଜାରି କରିଥିଲେ। ଏହାପରେ ମଧ୍ୟ ସ୍ଥିତି ସୁଧୁରି ନଥିବା ଯୋଗୁଁ ଏସଡିଏମଓ ଡା. ପ୍ରଦୀପ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଘଟଣା ସମ୍ଵନ୍ଧରେ ଅବଗତ ଥିବା ଓ ସଂପୃକ୍ତ ଡାକ୍ତର ଓ ସହାୟକଙ୍କୁ କାର୍ଯ୍ୟରେ ଅବହେଳା ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାଇଥିଲେ। ଅପରପକ୍ଷରେ ସଂପୃକ୍ତ ଡାକ୍ତର ତାଙ୍କୁ ଜାରି ହୋଇଥିବା ନୋଟିସର ଉତ୍ତର ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ନେଇ ଜଣାଇଛନ୍ତି। ତେବେ ବିଭାଗୀୟ ଡାକ୍ତର ଓ ସହାୟକ ଉଭୟ ଉପଲବ୍ଧ ଥାଇ ମଧ୍ୟ କାହିଁକି ଚକ୍ଷୁ ଚିକିତ୍ସାଳୟ ବନ୍ଦ ରହୁଛି ଏହା ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ