
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ଆଜି ଭବାନୀପାଟଣା
(ଜିଲ୍ଲା- କଳାହାଣ୍ଡି) ସ୍ଥିତ ଗ୍ରାମୀଣ ଜଳଯୋଗାଣ ଓ ସ୍ୱଚ୍ଛତା
ବିଭାଗର ବରିଷ୍ଠ କିରାଣୀ ଟି. ଭେଙ୍କଟଗିରି ରାଓଙ୍କୁ ୨୦,୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଛି।
ଭିଜିଲାନ୍ସ ସୂତ୍ର ମୁତାବକ, ଅଭିଯୋଗକାରୀ ସେହି
ଅଫିସର ଜଣେ ଅବସରପ୍ରାପ୍ତ (ରିଟାୟାର୍ଡ) କର୍ମଚାରୀ, ଯିଏ ୩୧ ମାର୍ଚ୍ଚ ୨୦୨୪ ରେ ଅବସର ଗ୍ରହଣ କରିଥିଲେ। ସେ
ନିଜର ପେନସନ ଫାଇଲ ତିଆରି ପାଇଁ ଅନେକ ଥର ଅନୁରୋଧ କରିଥିଲେ। ଅଭିଯୁକ୍ତ କିରାଣୀ ଫାଇଲଟି ଆଗକୁ
ବଢାଇବା ପାଇଁ ୨୦,୦୦୦ ଟଙ୍କା ଲାଂଚ ଦାବି
କରିଥିଲେ।
ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଜାଲ ବିଛାଇ ଅଭିଯୁକ୍ତଙ୍କୁ ତାଙ୍କ ସରକାରୀ ଘରେ ଲାଂଚ ନେଉଥିବାବେଳେ
ଧରିଛି। ଭିଜିଲାନ୍ସ ଟିମକୁ ଦେଖି ଅଭିଯୁକ୍ତ ଟଙ୍କାକୁ ଝରକା ବାହାରକୁ ଫିଙ୍ଗିଦେଇଥିଲେ, ଯାହାକୁ ପରେ ଟିମ
ଜବତ କରିଥିଲା। ଭିଜିଲାନ୍ସ ଟିମ୍ ରାଓଙ୍କ ତିନିଟି ସ୍ଥାନରେ ଏକକାଳୀନ ରେଡ୍ କରି ଆୟବହିର୍ଭୁତ
ସମ୍ପତ୍ତିର ତଦନ୍ତ ଆରମ୍ଭ କରିଛି।
ଏହା ସମ୍ବନ୍ଧରେ କୋରାପୁଟ ଭିଜିଲାନ୍ସ ଥାନା କେସ୍
ନମ୍ବର–୩୪, ତାରିଖ ୧୨.୧୧.୨୦୨୫
ଅନୁଯାୟୀ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଅନୁସାରେ ମାମଲା ରଜୁ ହୋଇଛି। ମାମଲାର
ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା