
ସୁବର୍ଣ୍ଣପୁର, ୧୪ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁରରୁ ବିନିକା ଭାୟା ଦେଇ ରାମପୁର ମୁଖ୍ୟ ରାସ୍ତାଟି ଏବେ ଗଞ୍ଜେଇ ବେପାରୀଙ୍କ କରିଡ଼ର ପାଲଟିଛି । ତେଣୁ ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଏବଂ ଏହି ବ୍ୟବସାୟରେ ସଂଶ୍ଳିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଚେକିଂକୁ ଗୁରୁତ୍ତ୍ଵ ଦିଆଯାଉଛି । ଆଜି ସକାଳେ ବିନିକା ସହର ମୁଖ୍ୟ ରାସ୍ତା ଥାନା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଗୁଡ଼ିକୁ କଡାକଡି ଚେକିଙ୍ଗ କରାଯାଉଥିବା ବେଳେ ସଂଦେହରେ ମହିନ୍ଦ୍ରା ୫୦୦ କାର ଯାହାର ନଂ ଓଡି୦୫ଆର୧୧୧୧ କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଗାଡ଼ିରେ ଗଞ୍ଜେଇ ଥିବା ଦେଖି ପୋଲିସ ଗାଡ଼ିକୁ ଜବତ କରି ଏଥିରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଥାନାକୁ ନେଇ ପୋଲିସ ପଚରାଉଚୁରା କରିଥିଲା । ଅପରାହ୍ନରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ବିନିକା ଅତିରିକ୍ତ ତହସିଲଦାର ପହଞ୍ଚିବା ପରେ ବିନିକା ଥାନା ଅଧିକାରୀ ଓ ପୋଲିସ ଷ୍ଟାଫ ଉକ୍ତ ଗାଡିକୁ ଟିକିନିଖି ଯାଞ୍ଚ କରି ଗାଡ଼ି ଭିତରୁ ଗଞ୍ଜେଇ ବାହାର କରି ଓଜନ କରିଥିଲେ । ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିରେ ସଂଶ୍ଲିଷ୍ଟ ବୌଦ୍ଧ ଜିଲ୍ଲାର ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ