
ଖୋର୍ଦ୍ଧା, ୧୪ ନଭେମ୍ବର (ହି.ସ.)- ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସେବା ବିଭାଗ ନିର୍ଦେଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାରଶୀର୍ଷକ ଏକ ସଚେତନତା ଶିବିର ସ୍ଥାନୀୟ ପୌରପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେବାସହ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ମହା ପ୍ରବନ୍ଧକ ରତ୍ନ ଜେନା, ଉପ ମହା ପ୍ରବନ୍ଧକ ଆଶିଷ କୁମାର ମିଶ୍ର , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା ଏବଂ ଅଗ୍ରଣୀ ଖୋର୍ଦ୍ଧା ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ ଅଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ ଶିବିରରେ ଦୀର୍ଘ ବର୍ଷ ଧରି କାରବାର ହେଉ ନଥିବା ବ୍ୟାଙ୍କ ଖାତା କିମ୍ବା ଜମା ରାଶିର ତଥା ଦାବବୀହୀନ ଖାତାର ଅର୍ଥ ରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଦାବି ହୀନ ଖାତାରେ ଜମା ଥିବା ପୁଞ୍ଜି କିପରି ଖାତା ଧାରକ କିମ୍ବା ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ ଫେରିପାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଉଦବୋଧନ ଓ ସୂଚନା ପ୍ରଦାନ କରିଥିଲେ lଜନସାଧାରଣ ନିଜ ଜମା ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କୁ ସଫଳ କରିବା ପାଇଁ କିପରି ସତର୍କତା ଅବଲମ୍ବନ କରିବେ ସେ ବିଷୟରେ ଜନସାଧାରଣଙ୍କୁ ସୁ ବିସ୍ତୃତ ସଚେତନତା କରାଯାଇଥିଲା l ଏହି ଅବସରରେ ହିତାଧିକାରୀଙ୍କୁ ବହୁଦିନ ରହି ପଡିରହିଥିବା ଜମାରାଶି ପ୍ରଦାନ କରାଯାଇଥିଲା l
କର୍ମଶାଳାରେ ବିଭିନ୍ନ ବ୍ୟାଙ୍କ ଓ ଅନ୍ନ ବ୍ୟାଙ୍କ ସଂସ୍ଥା ପକ୍ଷରୁ ଜନସଚେତନତା ପାଇଁ ଷ୍ଟଲ ଖୋଲାଯାଇଥିଲା l ଶିବିରରେ ୟୁକୋ ବ୍ୟାଙ୍କ ଅଧିକାରୀ ସମ୍ବିତ ରାଉଳ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ ମହାନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ ଖୋର୍ଦ୍ଧା ଜିଲ୍ଲା ଅଧିକାରୀ ସନ୍ତୋଷ କୁମାର ଲେଙ୍କା, ଭାରତୀୟ ଜୀବନ ବୀମା ନିଗମ ଓ ମିଉତୁଆଲ ଫଣ୍ଡର ଅଧିକାରୀ ମାନେ ଯୋଗ ଦେଇଥିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ହରିଶଙ୍କର ତ୍ରିପାଠୀ, ଉପ ପ୍ରବନ୍ଧକ ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ସାହୁ, ରବି ନାରାୟଣ ରଥ, ରାକେଶ ରଞ୍ଜନ ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନେ ସେବା ସଚେତନତା ପୁସ୍ତିକା ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଉନ୍ମୋଚନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ରାକେଶ