ଭଉଣୀର ପ୍ରେମିକକୁ ହତ୍ୟା ଘଟଣାରେ ୪ ଗିରଫ, ପୋଲିସର ତଦନ୍ତ ଜାରି, ମିଳିଲା ନାହିଁ ଆମ୍ବୁଲାନ୍ସ କି ପୋଲିସର ୧୧୨, ମରିଗଲା ମାନବିକତା
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ପ୍ରେମ ଜନିତ ଘଟଣା କୁ ନେଇ ଏକ ହତ୍ୟାଘଟଣା ସମଗ୍ର ଭଦ୍ରକ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି।ଘଟଣା ରୁ ପ୍ରକାଶ ଯେ ଧାମନଗର ଥାନା ଆନନ୍ଦପୁର ପଂଚାୟତ ଉତେଇପୁର ରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଧାମନଗର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହ
BHAUNIRA PREMIKAKU HATYA GHATANA, 4 ARREST


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ପ୍ରେମ ଜନିତ ଘଟଣା କୁ ନେଇ ଏକ ହତ୍ୟାଘଟଣା ସମଗ୍ର ଭଦ୍ରକ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି।ଘଟଣା ରୁ ପ୍ରକାଶ ଯେ ଧାମନଗର ଥାନା ଆନନ୍ଦପୁର ପଂଚାୟତ ଉତେଇପୁର ରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଧାମନଗର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତେଇପୁର ଗାଁ ମଧୁସ୍ମିତା ପାତ୍ର, ସ୍ୱାମୀ ମଦନ ପାତ୍ର, ମଧୁସ୍ମିତା ଭଉଣୀ ଜ୍ୱାଇଁ ତଥା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଂଚାୟତ ବଇଁଚା ଗାଁର ପ୍ରଶାନ୍ତ ବେହେରା ଓ ରମାକାନ୍ତ ବେହେରା। ମୃତ ସଞ୍ଜୟ ରାଉତଙ୍କ ସାନ ଭାଇ ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଂଚାୟତ କଣ୍ଡିଆ ସାହି ର ରାଜେନ୍ଦ୍ର ରାଉତଙ୍କ ଏତଲା କ୍ରମେ କେଶ ନମ୍ବର ୪୩୦ /୨୫ ରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ (୧) ଓ ୩(୫)ରେ ଦଫା ଲଗାଇଛି। ପରେ ବାଲେଶ୍ୱର ରୁ ସାଇଂଟିଫିକଟିମ ଉପସ୍ଥିତିରେ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି ଧାମନଗର ଥାନା ପୋଲିସ ଟିମ। ସିନରିକ୍ରିଏସନ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉତେଇପୁରର ଏଭଳି ଏକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ମାର୍ଗଶୀର ମାସ ଗୁରୁବାରରେ ଜଣେ ମହିଳା ଏମିତି ଉଗ୍ର ଓ ରକ୍ତମୁଖା ହେବାକୁ ନେଇ ଲୋକ ତୀବ୍ର ନିନ୍ଦା କରିଛନ୍ତି। ତା ସହିତ ସରକାରଙ୍କ ଆମ୍ବୁଲାନ୍ସ ସେବା ଓ ପୋଲିସର ତତ୍ପରତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗୁରୁବାର ଅପରାହଣରେ ଏ ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତଥିଲେ। ବହୁ ଲୋକ ଥିଲେ ବି ମଧୁସ୍ମିତାଙ୍କ ହିଂସ୍ର ରୂପ ଦେଖି କେହି ସାହସ କରିନଥିଲେ ଘର ଭିତରକୁ ପଶିବାକୁ। ସମସ୍ତେ ଗାଁ ଦାଣ୍ଡରେ ଥିଲେ ବି କେହି ଘର ଭିତରେ ପଶି ସଞ୍ଜୟ ଙ୍କୁ ବଂଚାଇବାକୁ ଚେଷ୍ଟା କରିନଥିଲେ। ତେବେ ପାଖ ଗାଁର ଯୁବକ ପ୍ରତାପ ବାରିକ ଓ ମୁନା ପତି ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ। ଆହତ ସଞ୍ଜୟ ଙ୍କୁ ଡାକ୍ତରଖାନା ନେବା ଲାଗି ୧୧୨ ଓ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ପ୍ରତାପ। ସେତେବେଳେ ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିଲା। ତା ପରେ ସେମାନେ ଭଣ୍ଡାରିପୋଖରୀ ଓ ଧୁଷୁରୀ ଥାନାକୁ ଫୋନ କରିଥିଲେ। ହେଲେ କେଉଁଠାରେ ୧୧୨ କି ୧୦୮ ଆମ୍ବୁଲାନ୍ସ ନଥିଲା। ଏମିତିକି ଧାମନଗର ପୋଲିସକୁ ଫୋନ କରିବାରୁ ଥାନା ଗାଡ଼ି ଓ ପାଟ୍ରୋଲିଂ ଭେହିକିଲ ସହ ନଳାଙ୍ଗ ପାଖ ଜାତୀୟ ରାଜପଥରେ ଥିବା ଜଣାଇଥିଲେ। ଆମ୍ବୁଲାନ୍ସ ନ ମିଳିବା ଓ ପୋଲିସ ବିଳମ୍ବରେ ପହଞ୍ଚିବା ବେଳକୁ ସଞ୍ଜୟଙ୍କ ଅବସ୍ଥା ସଂଗୀନ ହୋଇ ପଡ଼ିଥିଲା। ପୋଲିସ ସଞ୍ଜୟ ଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ପରେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଆରମ୍ଭ ପୂର୍ବରୁ ଭଦ୍ରକରେ ସଞ୍ଜୟ ଙ୍କର ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ସଞ୍ଜୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସଞ୍ଜୟ ଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସଞ୍ଜୟ ରାଉତ ଓ ମଧୁସ୍ମିତାଙ୍କ ସାନ ଭଉଣୀ ରୀନାରାଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ହେଲେ ଦୁହେଁ ଭିନ୍ନ ଭିନ୍ନ ସ୍ଥାନରେ ବାହା ହୋଇଥିଲେ। ବିବାହ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ରହିଥିଲା। ହେଲେ କିଛି ମାସ ହେଲା ଦୁହିଁଙ୍କ ସଂପର୍କରେ ଫାଟ ଆସିଥିଲା। ସଞ୍ଜୟ ରୀନା ଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରୀନା ଙ୍କ ସହ ମିଶି ମଧୁସ୍ମିତା ଷଡ଼ଯନ୍ତ୍ର କରିଥିଲେ। ସଞ୍ଜୟ ଙ୍କୁ ପାନେ ଦେବାକୁ ଚିନ୍ତା କରିଥିଲେ। ପୂର୍ବ ଯୋଜନା ମୁତାବକ ଗୁରୁବାର ଦିନ ରୀନାରାଣୀ ଫୋନ କରି ସଞ୍ଜୟ ଙ୍କୁ ଉତେଇପୁର ରେ ଭଉଣୀଙ୍କ ଘରକୁ ଡାକିଥିଲେ। ପ୍ରେମିକା ଙ୍କ ଫୋନ ପାଇ ଆସିଥିଲେ ସଞ୍ଜୟ। ସଞ୍ଜୟ ପହଂଚିବା ପୂର୍ବରୁ ମଧୁସ୍ମିତା ଙ୍କ ଘରେ ରୀନା ଙ୍କ ସ୍ୱାମୀ ପ୍ରଶାନ୍ତ, ତାଙ୍କ ବଡ଼ ଭାଇ ରମାକାନ୍ତ, ଭାଇ ପ୍ରିୟବ୍ରତ ବେହେରା ଓ ଅନ୍ୟ ଜଣେ ଆସି ଉପସ୍ଥିତ ଥିଲେ। ସଞ୍ଜୟ ପହଂଚିବା ପରେ ତାଙ୍କୁ ଗୋଟିଏ ଘରେ ପୂରାଇ ମଧୁସ୍ମିତା, ପ୍ରଶାନ୍ତ, ରମାକାନ୍ତ ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିଲେ। ସଞ୍ଜୟଙ୍କ ଯୌନାଙ୍ଗ କୁ ମାରି ଫଟାଇ ଦେଇଥିଲେ। ରଡରେ ପିଟି ତାଙ୍କ ମୁଣ୍ଡ ଫଟାଇଥିଲେ ଓ ଆଖିପତାରେ ଛୁରି ଭୁଷି ଦେଇଥିଲେ। ଏହାସହ ଆଣ୍ଠୁ ତଳକୁ ପିଟି ଦୁଇ ଗୋଡ଼କୁ ଚୁନା କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ପିନ୍ଧା ପୋଷାକ ଓହ୍ଲାଇ ଆଉ ଗୋଟିଏ ପୋଷାକ ମଧ୍ୟ ପିନ୍ଧାଇ ଦେଇଥିଲେ। ଏପରିକି ଜାଳି ଦେବା ଲାଗି ପେଟ୍ରୋଲ ଢାଳି ଉଦ୍ୟମ କରୁଥିଲେ। ଏହା ଗ୍ରାମ ଲୋକ ସହିନପାରି ବାଧ୍ୟ ହୋଇ ସଞ୍ଜୟ କୁ ଉଦ୍ଧାର କରିଥିଲେ ଓ ପୋଲିସ ପହଂଚି ତାକୁ ଡାକ୍ତରଖାନା ନେଇ ଥିଲେ ।ତେବେ ଏପରି ଦୁଃଖଦ ଘଟଣା ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande