
ଘଟଗାଁ, ୧୪ ନଭେମ୍ବର (ହି.ସ.)- ସରକାର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ଯାତାୟାତ କ୍ଷେତ୍ରରେ ସରକାରୀ ଓ ବେସରକାରୀ ବସ୍ ରେ ସଂପୂର୍ଣ୍ଣ ଛାଡ଼ କରିଥିବା ବେଳେ ସେମାନଙ୍କ ସହିତ ଯାଉଥିବା ସହାୟକଙ୍କ ପାଇଁ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅଧା ଛାଡ଼ ର ବ୍ୟବସ୍ଥା କରାଯାଇଛି, ହେଲେ କିଛି ଅସାଧୁ କଣ୍ଡକ୍ଟର ଭିନ୍ନକ୍ଷମଙ୍କୁ ବସରେ ଦୁର୍ବ୍ୟବହାର କରିବା ସହିତ ଅପମାନିତ କରୁଛନ୍ତି । ଏହି ଭଳି ଯାତାୟତ କରିବା ସମୟରେ ଭିନ୍ନକ୍ଷମଙ୍କୁ ବସ କଣ୍ଡକ୍ଟର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ,୧୩ ତାରିଖ ଦିନ ଆନନ୍ଦପୁର ପୌର ପରିଷଦ ୧୪ ନଂ ୱାର୍ଡ ର ପ୍ରତି ପ୍ରଜ୍ଞା ସାହୁ ନିଜର ଫିଜିଓଥେରାପି କରିବା ପାଇଁ ଭୁବନେଶ୍ବର ଯିବା ପାଇଁ ଘସିପୁରା ବସଷ୍ଟାଣ୍ଡରେ ପହଞ୍ଚି ଥିଲେ | ସମୟ ସକାଳ ୮ଟା ହେବ ସେଠାରେ ବସକୁ ଅପେକ୍ଷା କରି ରହିଥାନ୍ତି। ଠିକ୍ ଏହି ସମୟରେ ମାଛଗଡ଼ ଅଞ୍ଚଳରୁ ଆସୁଥିବା ଡାଇମଣ୍ଡ ବସ ବସଷ୍ଟାଣ୍ଡରେ ପହଞ୍ଚିଥିଲା, ହେଲେ ସେଥିରେ ଯିବା ପାଇଁ ଇଚ୍ଛା ନଥିବା ବେଳେ କଣ୍ଡକ୍ଟର ଆଜ୍ଞା ଆସନ୍ତୁ କହି ଡାକି ନେଲା । କିଛି ସମୟ ପରେ କଣ୍ଡକ୍ଟର ଭଡା ମାଗିବାରୁ ପ୍ରିତି ପ୍ରଜ୍ଞାର ମା ଆରତୀ ମହାକୁଡ଼ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବସ଼ ପାଶ ର ନକଲ କପି ଦେବା ସହିତ ସହାୟକର ଅଧା ଭଡା ୧୦୦ ଟଙ୍କା ପ୍ରଦାନ କରିଥିଲେ । ପ୍ରଥମେ ଏହାକୁ ନେଇ ଯାଇଥିଲେ କଣ୍ଡକ୍ଟର । ପରବର୍ତ୍ତି ସମୟରେ ଆସି ପୂନର୍ବାର ଶହେ ନୁହେଁ ତୁମର ୨୦୦ ଟଙ୍କା ପଡିବ ବୋଲି କହିଥିଲେ । କୌଣସି କଥା ନ ବୁଝି ଆପଣ ନହେଲେ ବସରୁ ଓହ୍ଲାଇ ଯାଆନ୍ତୁ ବୋଲି କହିଥିଲା । ଏପରି କ୍ଷେତ୍ରରେ ମହିଳା ଜଣକ ନିରୁପାୟ ହୋଇ ୨୦୦ ଟଙ୍କା ଦେଇ ନିଜର ଦିବ୍ୟାଙ୍ଗ ଶିଶୁକୁ ନେଇ ଭୁବନେଶ୍ୱର ଯାଇଥିଲେ। ଏହି ପାଶ ଦ୍ଵାରା ବିଭିନ୍ନ ସରକାରୀ ଓ ବେସରକାରୀ ବସ୍ କନ୍ସେସନ ହେଉଥିବା ବେଳେ କେନ୍ଦୁଝର ଆର.ଟି.ଓ ଦେଇ ଭୁବନେଶ୍ଵରକୁ ଯାଉଥିବା ଡାଇମଣ୍ଡ ବସ ଭିନ୍ନକ୍ଷମଙ୍କୁ ବସରେ ଦୁର୍ବ୍ୟବହାର କରି ଯାତ୍ରାୟତା ସହାୟତା ନ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶିଶୁର ମା ପ୍ରକାଶ କରିଛନ୍ତି । ଏନେଇ ସେ ଖାଉଟି ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।ଏହିଭଳି ବିଭିନ୍ନ ବ୍ଳକରେ ଅନେକ ଭିନ୍ନକ୍ଷମ ଯାତାୟାତ ସହାୟତା ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ସମସ୍ୟା ସମାଧାନ କରିବା ପାଇଁ କେନ୍ଦୁଝର ଆରଟିଓ ଧ୍ୟାନ ଦେଲେ ଏଭଳି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି। ଏ ସଂପର୍କରେ କେଦୁଝର ଆରଟିଓ ମାନସ ରଞ୍ଜନ ସାହୁଙ୍କୁ ଦୂରଭାଷରେ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରି ନଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ