
ଘଟଗାଁ, ୧୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା ବ୍ଳକ କେଶପୁରାପାଳରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। କେଶଦୁରାପାଳ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଏହି ଯାତ୍ରା ଓଡ଼ିଶାର ନୌବାଣିଜ୍ୟ, ଐତିହ୍ୟ, ପରମ୍ପରା ଓ ସାମାଜିକ ଚଳଣିକୁ ଦୃଷ୍ଟିରେ ରଖି ପବିତ୍ର ରାହାସ ପୂର୍ଣ୍ଣିମାରେ ରାଧାକୃଷ୍ଣ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯାଇ ପୂର୍ଣ୍ଣମି ଦିନ ଏଠାରେ ବୋଇତ ବନ୍ଦାଣ କରାଯାଏ। ୨୧ ବର୍ଷ ଧରି ଅଞ୍ଚଳବାସୀଙ୍କ ସହଯୋଗରେ ଏଠି ବାଲିଯାତ୍ରା ପାଳିତ ହେଉଛି। ଲୋକନୃତ୍ୟ ଓ ଲୋକକଳାକୁ ପ୍ରାଧାନ୍ୟ ଦିଆଯାଇ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା କମିଟି ତରଫରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ବାଲିଯାତ୍ରାରେ ମିନାବଜାର ଠାରୁ ଆରମ୍ଭକରି ପ୍ରଥମ ସଂଧ୍ୟାରେ ବୀଣାପାଣି କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିପାଇଁ ପ୍ରଶାସନ ଓ କମିଟିର କର୍ମକର୍ତ୍ତାଙ୍କ ସହଯୋଗରେ ଏହି ବାଲି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଏହି ଉଦଘାଟନ ଉତ୍ସବରେ ଆନନ୍ଦପୁର ଉପ ଜିଲ୍ଲାପାଳ ନୀଳ ମାଧବ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭଉଦ୍ଘାଟନ କରିଥିଲେ। ଆୟୋଜିତ ସଭାରେ ସମ୍ପାଦକ ହରିପ୍ରସାଦ ମିଶ୍ର ଏହି ବାଲି ଯାତ୍ରାର ଉଦ୍ଦେଶ୍ୟ ଆଲୋଚନା କରିଥିଲେ ।ଉପଦେଷ୍ଟା ହୃଷିକେଶ ଆଚାର୍ଯ୍ୟ ବାଲିଯାତ୍ରାର ଐତିହ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ । ସଭାରେ ସଭାପତି ଭିକାରୀ ଚରଣ ବିନ୍ଧାଣି ଓ ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ବିନ୍ଧାଣି ପୁଷ୍ପଗୁଚ୍ଛ, ଉତରୀୟ ପ୍ରଦାନ କରି ସମ୍ପର୍ଦ୍ଧିତ କରିଥିଲେ । କମିଟି ତରଫରୁ ଅବିନାଶ ଶତପଥୀଙ୍କ ଦ୍ୱାରା ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଥିଲା। ଏହି ସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ବାଲିଯାତ୍ରା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ୧୫ ତାରିଖ ଠାରୁ ଯାତ୍ରା ବିଶ୍ୱ ଦରବାର ଅପେରା ପ୍ରଦର୍ଶନ କରିବାକୁ କମିଟି ତରଫରୁ ସ୍ଥିର କରାଯାଇଅଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ